ସାପ କାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ନ ନେଇ ଗୁଣିଆ ପାଖକୁ ନେଲେ : ଚାଲିଗଲା ୨ ଜୀବନ

0
138
ସାପ କାମୁଡ଼ା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ଼, (୦୯/୦୮) : ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାଁନ୍ତି । ଚିକିତ୍ସା ପରିବର୍ତ୍ତେ ଝଡ଼ାଫୁଙ୍କାକୁ ଆପଣାଉଛନ୍ତି । ଡାକ୍ତରଙ୍କ ଚିକିତ୍ସା ଅପେକ୍ଷା ଗୁଣିଆ ର ଝଡ଼ାଫୁଙ୍କା ଦ୍ୱାରା ସାପ କାମୁଡ଼ା ଓ ଅନେକ ରୋଗ ଭଲ ହୋଇଯିବ ବୋଲି ବିଶ୍ୱାସ କରୁଛନ୍ତି ।

ଲୋକମାନଙ୍କ ଏପରି ଭୁଲ ଚିନ୍ତାଧାରା ଯୋଗୁଁ ଚାଲି ଯାଉଛି ଅନେକ ଜୀବନ । ଗତ ରବିବାର ପୁଣି ଏହିଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି । ଆଉ ଦୁଇଟି ଯାକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ଜିଲ୍ଲା ର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଲୁହୁରାସାହି ର ଜଣେ ବ୍ୟକ୍ତିଙ୍କୁ ରବିବାର ବିଳମ୍ବିତ ରାତିରେ ସାପ କାମୁଡ଼ିଥିଲା । ପରିବାର ଲୋକ ସାପ କାମୁଡ଼ା ରୋଗୀଙ୍କୁ ଡାକ୍ତରଖାନାକୁ ନ ନେଇ ପାଖ ଗାଁର ଏକ ଗୁଣିଆ ପାଖକୁ ନେଇଯାଇଥିଲେ । ସେଠାରେ ଗୁଣିଆ ଝଡ଼ାଫୁଙ୍କା କରିଥିଲା ।

ହେଲେ ବ୍ୟକ୍ତି ଜଣଙ୍କ ଭଲ ହୋଇ ନଥିଲେ । ପରେ ପରିବାର ଲୋକ ଅନ୍ୟ ଜଣେ ଗୁଣିଆ ପାଖକୁ ନେଇଯାଇଥିଲେ । ସେଠାରେ ମଧ୍ୟ ବ୍ୟକ୍ତି ଜଣଙ୍କ ଭଲ ହୋଇନଥିଲେ । ତଥାପି ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇ ନଥିଲେ । ଆଉ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ରବିବାର ରାତିରେ ଚାନ୍ଦିପୋଷ ଥାନା ର ତାମଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମମତା ପାତ୍ରଙ୍କୁ ସାପ କାମୁଡ଼ିଥିଲା । ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନ ନେଇ ଝଡ଼ାଫୁଙ୍କା କରିବା ପାଇଁ ଗୁଣିଆ ପାଖକୁ ନେଇଯାଇଥିଲେ । ହେଲେ ଶିକ୍ଷୟିତ୍ରୀ ଜଣଙ୍କ ସୁସ୍ଥ ନ ହେବାରୁ ପରିବାର ଲୋକେ ଡାକ୍ତରଖାନାକୁ ନେଇ ଯାଇଥିଲେ । ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା ।

ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ବି ପରିବାର ଲୋକଙ୍କ ମନ ବୁଝି ନଥିଲା । ଡାକ୍ତର ଶିକ୍ଷୟିତ୍ରୀଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ତାଙ୍କୁ ପୁଣି ଗାଁକୁ ଆଣି ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରିଥିଲେ । କିନ୍ତୁ କିଛି ଲାଭ ହୋଇ ନଥିଲା ।