ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା : ରୋହିତ ନେବେ ନେତୃତ୍ୱ

0
141
ଏସିଆ କପ୍

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୯/୦୮) : ଅଗଷ୍ଟ ୨୭ ରୁ ଆରମ୍ଭ ହେଉଛି ଏସିଆ କପ୍ । ଚଳିତ ଥର ଏହା ଟି-୨୦ ଫର୍ମାଟରେ ଖେଳାଯିବ । ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦଳର ନେତୃତ୍ୱ ନେବେ ରୋହିତ ଶର୍ମା ।

ଦଳକୁ ଫେରିବା ସହ ଉପଅଧିନାୟକ ସ୍ଥାନ ନେବେ କେଏଲ୍‌ ରାହୁଲ । ବିରାଟ କୋହଲି ମଧ୍ୟ ଦଳକୁ ଫେରିଛନ୍ତି । ତେବେ ଆହତ ଜନିତ କାରଣରୁ ପ୍ରମୁଖ ବୋଲର ଭୂମିକା ନେଉଥିବା ଯଶପ୍ରୀତ ବୁମ୍ରାଙ୍କୁ ବାଦ୍ ଦିଆଯାଇଛି । ଏସିଆ କପ୍ ରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଭାଗ ନେବେ । ଟିମ୍‌ ଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି । ‘ଏ’ ଗ୍ରୁପ୍‌ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଥିବା ବେଳେ ‘ ବି’ ଗ୍ରୁପ୍‌ରେ ଭାରତ, ପାକିସ୍ତାନ ଓ ଗୋଟିଏ କ୍ୱାଲିଫାଇଙ୍ଗ ଟିମ୍ ରହିବ ।

ଅଗଷ୍ଟ ୨୭ ରେ ଉଦଘାଟନୀ ମ୍ୟାଚ ହେବ । ଏହି ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ ଆଫଗାନିସ୍ତାନ । ଏହା ପରଦିନ ଦୁବାଇରେ ହେବାକୁ ଥିବା ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୧ ରେ ଦୁବାଇରେ ଖେଳାଯିବ ।

ଭାରତୀୟ ଦଳରେ ସାମିଲ ଖେଳାଳିମାନେ ହେଲେ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଆର. ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଆଭେସ ଖାନ୍ ।