୩ ଦିନ ପ୍ରବଳ ବର୍ଷିବ : ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

0
128
୩ ଦିନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୩/୦୮) : ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ୩ ଦିନ ଯାଏଁ ବର୍ଷା ଲାଗି ରହିବ ।

ଆସନ୍ତା ୩ ଦିନ ପ୍ରବଳ ବର୍ଷିବ । ଆଜି ୧୪ ଟି ଜିଲ୍ଲାକୁ ଅରେଞ୍ଜ ଓ ୧୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୧୧ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଏହି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରରେ ସୂଚନା ଅନୁସାରେ, ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଟ୍ୱିନ୍ ସିଟିରେ ଦିନ ତମାମ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ଯୋଗୁ ଟ୍ୱିନ୍ ସିଟିରେ ବନ୍ୟା ର ଆଶଙ୍କା ରହିଛି । ଏହାସହ ଟ୍ରାଫିକ୍ ସମସ୍ୟା ଓ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ତେବେ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରାୟ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ । ଏଥିଲାଗି ଏହିସବୁ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦିଆଯାଇଛି । ଆସନ୍ତାକାଲି ପାଇଁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି ।