ଆଜିଠୁ ରାଜ୍ୟରେ ବଦଳିବ ପାଗ, କମିବ ବର୍ଷାର ପରିମାଣ

0
130
ଆଜିଠୁ ରାଜ୍ୟରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୮) : ରାଜ୍ୟରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବ ଆଜିଠାରୁ ହ୍ରାସ ପାଇବ । ଫଳରେ ରାଜ୍ୟ ତମାମ ଜାରି ରହିଥିବା ବର୍ଷାରେ ଲାଗିବ ସାମାନ୍ୟ ବିରାମ । ଆଜିଠୁ ରାଜ୍ୟରେ ପାଗ ବଦଳିବା ସହ ତାପମାତ୍ରା ଧୀରେଧୀରେ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟ ପ୍ରଭାବ କମିବାର ଥିଲେ ହେଁ ଆଜି ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କେନ୍ଦୁଝର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ର ମଧ୍ୟ ଆଶଙ୍କା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ କହିଛନ୍ତି, ୨୬ ତାରିଖରେ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ଆଜିଠୁ ରାଜ୍ୟରେ ବଦଳିବ ପାଗ କାଁଭାଁ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସେହିପରି ୨୭ ତାରିଖରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୮ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ଦିନର ତାପାମାତ୍ରା ମଧ୍ୟ ଧୀରେଧୀରେ ବଢ଼ିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ର ଅଗଷ୍ଟ ମାସ ର ପ୍ରଥମ ୨୪ ଦିନରେ ରାଜ୍ୟ ରେ କେତେ ବର୍ଷା ହୋଇଛି, ତା’ର ସୂଚନା ମଧ୍ୟ ଦିଆଯାଇଛି ।

ଚଳିତ ମାସର ପ୍ରଥମ ଦିନରେ ରାଜ୍ୟରେ ୪୪୪.୫ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଜୁନ ମାସ ଆରମ୍ଭରୁ ଅଗଷ୍ଟ ୨୪ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଏହି ସମୟରେ ସାଧାରଣତଃ ୮୩୮.୮ ମିମି ବର୍ଷା ହୋଇଥାଏ । କିନ୍ତୁ ଚଳିତ ବର୍ଷ ୯୫୨.୬ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୧୪ ପ୍ରତିଶତ ଅଧିକ ।

ଏହି ସମୟ ସମୟ ସୀମା ମଧ୍ୟରେ କନ୍ଧମାଳରେ ଅତ୍ୟଧିକ ବର୍ଷା ହୋଇଛି । ଏଠାରେ ଅତିରିକ୍ତି ୬୮% ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହାବାଦ ଦେବଗଡ଼, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ, କୋରାପୁଟ, ରାୟଗଡ଼ା ଓ ଗଜପତିରେ ଭଳି ୭ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ବାକି ୨୩ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ମାସରେ ଅତ୍ୟଧିକ ବର୍ଷା ହୋଇଥିବାରୁ ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖାଯାଇଥିଲା । ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେ ବି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ବିଶେଷ କରି ପଶ୍ଚିମ ଓଡ଼ିଶାର ସ୍ଥିତି ଅଧିକ ସଂଗୀନ ହୋଇଛି ।