ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା : ବଢିଲା ୫୪, ୯୦୦ ସିଟ୍

0
293

ରିପୋର୍ଟ : ସୁଭାସିସ ନାୟକ

ଭୁବନେଶ୍ୱର,(୧୧/୦୮) : ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଏଥି ସହିତ ଯୁକ୍ତ ଦୁଇର ତିନିଟି ବିଭାଗରେ ମୋଟ ୫୪ ହଜାର ୯୦୦ ସିଟ ବଢାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଅଗଷ୍ଟ ୧୨ ତାରିଖରୁ ସାମ୍ସ ପୋର୍ଟାଲ ଖୋଲିବ ଓ ଆଡମିଶନ୍ ପ୍ରକ୍ରିୟା ଆରମ୍ଭ ହେବ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏଥର ଆଡମିଶନ୍ ଫି’କୁ ବୃଦ୍ଧି କରାଯାଇ ନାହିଁ । ସେଲ୍ଫ୍ ଫାଇନାନ୍ସ କୋର୍ସରେ ମଧ୍ୟ ଫି’ ବଢ଼ା ଯାଇ ନ ଥିବା ସେ କହିଛନ୍ତି ।

ଯୁକ୍ତ ଦୁଇରେ ସିଟ୍ ସଂଖ୍ୟା ବଢ଼ିଥିବା ନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ବିଜ୍ଞାନରେ ୨୫ ହଜାର ସିଟ୍ ବଢ଼ାଇବାକୁ ଆବେଦନ ହୋଇଥିବା ବେଳେ ୧୩ ହଜାର ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି । ସେହିପରି ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି କରିବାକୁ ଆବେଦନ ହୋଇଥିବା ବେଳେ ୩୯୦୦ଟି ବଢ଼ାଇବାକୁ ଅନୁମତି ଦିଆଯାଇଛି । ଏଥିସହିକ କଳାରେ ୪୦ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିଲା । କିନ୍ତୁ ୩୮ ହଜାର ସିଟ୍ ବଢ଼ାଇବାକୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିବା ପରେ ସେମାନଙ୍କ ପାଇଁ ଯୁକ୍ତ ଦୁଇରେ ଆବଶ୍ୟକ ସିଟ୍ ନଥିବା ଦେଖିବାକୁ ମିଳିଥିଲା । ଏହା ପରେ ସରକାର ଯୁକ୍ତ ଦୁଇ ସିଟ୍ ବଢ଼ାଯିବ ବୋଲି କହିଥିଲେ । ଏହି କ୍ରମରେ କଲେଜର ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସିଟ ସଂଖ୍ୟା ବଢାଯାଇଛି ।