ପ୍ରେମ ବ୍ୟାପାରକୁ ନେଇ ଯୋଜନାବଦ୍ଧ ଭାବେ ନିର୍ମମ ହତ୍ୟା : ଅଭଯୁକ୍ତ କୋର୍ଟ ଚାଲାଣ

0
176
ପ୍ରେମ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୯/୦୯) : ବଲାଙ୍ଗୀର ସହର ର ବିଜାଖମନ ବୁଦା ମୂଳରୁ ଗତ ୨୫ ତାରିଖ ଦିନ ଅଷ୍ଟମୀ ବକୁଲଙ୍କ ରକ୍ତାକ୍ତ ମୃତଦେହ ମିଳିବା ନେଇ ବେଶ ହଟ ଚମଟ ସୃଷ୍ଟି ହୋଇଥିଲା । ଏହି ଘଟଣା ର ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଏକ ଭିଡିଓ ଜରିଆରେ ଏହି ହତ୍ୟାକାଣ୍ଡ ର ପର୍ଦ୍ଦାଫାସ କରିବା ସହ ଘଟଣାଟି ପ୍ରେମ ବ୍ୟାପାରରୁ ଶତୃତା ଓ ପରେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସୂଚନା ଦେଇଛନ୍ତି ।

ଘଟଣା ର ମୁଖ୍ୟ ଅଭିଯୁକ୍ତ ବଲାଙ୍ଗୀର ଟାଉନ ଥାନା ଅଧିନସ୍ଥ ବେହେରାପାଲି ର ବାଲେକ ଓରଫ ଗୁଲଠୁ ତାଣ୍ଡି (୩୭) ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ୨୪ ତାରିଖ ସଂନ୍ଧ୍ୟା ପ୍ରାୟ ୬ଟା ୧୫ ସମୟରେ ମ୍ୟୁନିସିପାଲିଟି କର୍ମଚାରୀ ଅଷ୍ଟମୀ ବକୁଲ ବିଜାଖମନ ସ୍ଥିତ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ଠାରେ ମଇଳା ବାହକ ଗାଡି ରଖି ନିଜ ସାଇକଲରେ ରାଜୀବନଗର କୁ ଫେରୁଥିଲେ । ନିଛାଟିଆ ରାସ୍ତାରେ ଛକି ରହିଥିବା ଗୁଲଠୁ ପ୍ରେମ ବ୍ୟାପାରକୁ ଶତୃତା ପାଇଁ ପଛପଟୁ ଏକ ଖଣ୍ଡାରେ ଅଷ୍ଟମୀକୁ ଆକ୍ରମଣ କରିଥିଲେ ।

ଅଷ୍ଟମୀ ନିଜ ସାଇକେଲରୁ ପଡିଯିବା ପରେ ଗୁଲଠୁ ଅଷ୍ଟମୀ ର ବେକରେ ଖଣ୍ଡାରେ ବାରମ୍ବାର ପ୍ରହାର କରିଥିଲେ । ଫଳରେ ଅଷ୍ଟମୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ଗୁଲଠୁ, ଅଷ୍ଟମୀଙ୍କ ମର ଶରୀର ଓ ସାଇକେଲକୁ ରାସ୍ତା କଡ ବୁଦା ଭିତରକୁ ଫିଙ୍ଗିଦେଇ ଚାଲି ଯାଇଥିଲେ । ଦୀର୍ଘ ବାର ଘଣ୍ଟା ପରେ ମଧ୍ୟ ଅଷ୍ଟମୀ ର କୌଣସି ଖୋଜ ଖବର ମିଳି ନଥିବା ବେଳେ ତାଙ୍କ ମାଁ ପଙ୍କଜିନୀ ବକୁଲ ପରଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୁଦା ତଳେ ଏକ ମୃତ ଶରୀର ପଡିଥିବା ଦେଖି ରାଜୀବନଗର ର ଜଣେ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ପୋଲିସ ଟାଉନ ଥାନା କେସ ନଂ ୪୯୨ ରେ ଏକ ମାମାଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା । ତଦନ୍ତକାରୀ ପୋଲିସ ଅଧିକାରୀ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ବେହେରା ଅଭିଯୁକ୍ତ ଗୁଲଠୁକୁ ଗିରଫ କରିବା ସହ ତା’ ପାଖରୁ ଏକ ଖଣ୍ଡା ଜବତ କରିଥିଲେ । ଗତକାଲି ଟାଉନ ପୋଲିସ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ କରାଇଥିଲା ।

ଆଜି ସକାଳୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅନ୍ୟାନ୍ୟ ଦିଗ ଉପରେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ଦିଆଯାଇଛି । ତେବେ ନିଛାଟିଆ ଅଞ୍ଚଳ, ପ୍ରତ୍ୟକ୍ଷଦର୍ଶୀ ଓ ସିସିଟିଭି ର ଅଭାବ ସତ୍ତ୍ୱେ ମାତ୍ର କିଛି ଦିନରେ ହତ୍ୟାକରୀକୁ ଖୋଜି ବାହାର କରିବା ଖୁବ କଠିନ । ଏଣୁ ତଦନ୍ତକାରୀ ଦଳ ଓ ଟାଉନ ପୋଲିସକୁ ଏହି ସଫଳତା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଧୁବାଦ ଜଣାଇଛନ୍ତି ।