ଟି-ଟ୍ୱେଣ୍ଟିରେ ରୋହିତ-ରାହୁଲଙ୍କ ରେକର୍ଡ

0
101
ଟି-ଟ୍ୱେଣ୍ଟିରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୩/୧୦) : ଭାରତ ର ଓପନିଂ ଯୋଡ଼ି ରୋହିତ ଶର୍ମା ଓ କେ.ଏଲ. ରାହୁଲ ଟି-ଟ୍ୱେଣ୍ଟିରେ ନୂଆ ରେକର୍ଡ ତିଆରି କରିଛନ୍ତି । ୫୦ ବା ତା’ଠାରୁ ଅଧିକ ରନ୍‌ ର ଭାଗିଦାରୀରେ ଥିବା ରେକର୍ଡକୁ ଏହି ଯୋଡ଼ି ଭାଙ୍ଗି ଦେଇଛନ୍ତି ।

ପୂର୍ବରୁ ଟି-ଟ୍ୱେଣ୍ଟିରେ ଏହି ରେକର୍ଡ ପାକିସ୍ତାନ ର ଓପନିଂ ଯୋଡ଼ି ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ନାଁରେ ଥିଲା । ବାବର-ରିଜୱାନ ଯୋଡ଼ି ୧୪ ଥର ୫୦ ବା ତା’ଠାରୁ ଅଧିକ ରନ୍‌ ର ପାର୍ଟନରଶିପ୍ କରିଥିଲେ । ତେବେ ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ରୋହିତ ଓ ରାହୁଲଙ୍କ ଯୋଡ଼ି ଏହି ରେକର୍ଡକୁ ଭାଙ୍ଗି ଥିଲେ । ଏହି ଯୋଡ଼ି ଗତକାଲି ୯୬ ରନ୍‌ ର ପାର୍ଟନରଶିପ୍ କରିଥିଲେ । ଏହାକୁ ମିଶାଇ ସେମାନେ ୧୫ ଥର ୫୦ ବା ତା’ଠାରୁ ଅଧିକ ରନ୍‌ ର ପାର୍ଟନରଶିପ୍ କରିଛନ୍ତି ।

ଏହା ସହିତ ଏହି ଭାରତୀୟ ଯୋଡ଼ି ଆଉ ଏକ ରେକର୍ଡ କରିଛନ୍ତି । ଟି-ଟ୍ୱେଣ୍ଟିରେ ପାର୍ଟନଶିପ୍‌ରେ ଭାରତ ପାଇଁ ସବୁଠୁ ଅଧିକ ରନ୍ ସଂଗ୍ରହ କରିଥିବା ଖେଳାଳି ବନିଛନ୍ତି ଏହି ଯୋଡ଼ି । ପୂର୍ବରୁ ଏହି ରେକର୍ଡ ଶିଖର ଧୱନ ଓ ରୋହିତ ଶର୍ମାଙ୍କ ନାଁରେ ଥିଲା । ରୋହିତ ଓ ରାହୁଲ ମିଳିତ ଭାବେ ୧୭୪୪ ରନ୍ କରିଥିବା ବେଳେ ଶିଖର ଓ ରୋହିତ ୧୭୪୩ ରନ୍ କରିଛନ୍ତି । ରାହୁଲ ଓ ଶିଖରଙ୍କ ପରେ ରୋହିତଙ୍କ ଶ୍ରେଷ୍ଠ ଭାଗିଦାରୀ ବିରାଟ କୋହଲିଙ୍କ ସହିତ ରହିଛି । ରୋହିତ ଓ ବିରାଟ ମିଳିତ ଭାବେ ୧୦୯୪ ରନ୍ କରିଛନ୍ତି ।

ଗତକାଲି କେଏଲ ରାହୁଲ ୨୮ଟି ବଲ୍‌ରୁ ୫୭ ରନ୍ କରିଥିଲେ । ଏଥିରେ ୫ଟି ଚୌକା ଓ ୪ଟି ଛକା ରହିଥିଲା । ସେହିପରି ଅଧିନାୟକ ରୋହିତ ଶର୍ମା ୩୭ଟି ବଲ୍‌ରୁ ୪୩ ରନ୍ କରିଥିଲେ । ସେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଗତକାଲି ର ମ୍ୟାଚ୍‌କୁ ଭାରତ ୧୬ ରନ୍‌ରେ ଜିତିବା ସହିତ ସିରିଜ୍ କବଜା କରିଛି ।