ଚୁକ୍ତିଭିତ୍ତିକ ନିଯୁକ୍ତି ର ଐତିହାସିକ ଭୁଲକୁ ସ୍ୱୀକାର କରିଛନ୍ତି ସରକାର : ଜୟନାରାୟଣ

0
102
ଚୁକ୍ତିଭିତ୍ତିକ ନିଯୁକ୍ତି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୬/୧୦) : ରାଜ୍ୟ ସରକାର ୨୦୧୩ ମସିହାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ନେଇଥିବା ଐତିହାସିକ ଭୁଲକୁ ସ୍ୱୀକାର କରି କିଂଚିତ ସମାଧାନ ର ଘୋଷଣା କରିବା ସ୍ୱାଗତଯୋଗ୍ୟ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ସୂଚନା ଦେବା ପରେ ଶ୍ରୀ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ୨୦୧୩ ମସିହାରୁ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି ଚୁକ୍ତିଭିତ୍ତିକ ନିଯୁକ୍ତି ର ମହାଦୁର୍ନୀତି ବିଜେଡି ସରକାର ଆରମ୍ଭ କରିଥିଲେ । ସେହି ଐତିହାସିକ ଭୁଲକୁ ସ୍ୱୀକାର କରି କିଂଚିତ ସମାଧାନ ପାଇଁ ଘୋଷଣା କରିବା ସ୍ୱାଗତଯୋଗ୍ୟ । ମାତ୍ର ରାଜ୍ୟ ସରକାର ନିଜର ପୂର୍ବ ଘୋଷଣା ପରି ଯୁବପିଢ଼ିଙ୍କୁ ନିରାଶ କରିବେ ନାହିଁ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

୨୦୧୩ ରୁ ଲୋକଙ୍କୁ ଅନ୍ଧାରରେ ରଖି ଚୁକ୍ତିଭିତ୍ତିକ ନିଯୁକ୍ତି ର ମହାଦୁର୍ନୀତି ସରକାର ଆରମ୍ଭ କରିଥିଲେ । ଏହାବ୍ୟତୀତ ରାଜ୍ୟ ବିଧାନସଭାରେ ଗତ ଜୁଲାଇ ୨୭ ତାରିଖରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ବିଧାନସଭାରେ ସ୍ପଷ୍ଟ କରିଥିଲେ ଯେ, ରାଜ୍ୟରେ ୮.୮୦ ଲକ୍ଷ ପଞ୍ଜିକୃତ ବେରୋଜଗାର ଯୁବକ ଯୁବତୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ଏହି ୮.୮୦ ଲକ୍ଷ ପରିବାରକୁ ରୋଜଗାର ଦେଇ ଦାୟିତ୍ୱ ନେବେ ତା’ର ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଛନ୍ତି । ରାଜ୍ୟରେ ୫୦ ହଜାରରୁ ଅଧିକ ବ୍ଲକ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଅଛନ୍ତି । ସେମାନଙ୍କ ପରିବାର ର ଦୁଃଖ କେବେ ଦୂର କରିବେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଏହା ବ୍ୟତୀତ ରାଜ୍ୟ ସରକାରଙ୍କ କେଉଁ ବିଭାଗ ର କେଉଁ ପାହ୍ୟାରେ କେତେ କର୍ମଚାରୀ ନିୟମିତ ହେବେ ତା’ର ତାଲିକା ଦେବାକୁ ଶ୍ରୀ ମିଶ୍ର ଦାବି କରିବା ସହ ନିୟମିତ ହେବାକୁ ଥିବା ୫୭ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବକେୟା ପାଉଣା ଦେଇ ସେମାନଙ୍କ ପ୍ରତି ନ୍ୟାୟ ବିଚାର ରାଜ୍ୟ ସରକାର କରିବେ ବୋଲି ଦାବି କରିଛନ୍ତି ।

ରାଜ୍ୟରେ ଲକ୍ଷାଧିକ ଯୁବକ ଯୁବତୀ ସ୍ଥାୟୀ ନିଯୁକ୍ତି ଆଶା ରଖି ନିରାଶରେ ଅଛନ୍ତି । କାଳିଆ, ପିଠା ଓ ବିଜୁ ଯୁବ ବାହିନୀ ଭଳି ଅନେକ ଯୋଜନା ଯେପରି ଯୁବକ, ମହିଳା ଓ ସାଧାରଣ ଲୋକଙ୍କୁ ଭ୍ରମିତ କରିଥିଲା । ଆଜିର ନିଷ୍ପତ୍ତି ସେଭଳି ଦିଗରେ ଗତି କରିବ ନାହିଁ ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହିତ ଗ୍ରାମରକ୍ଷୀ, ଗ୍ରାମରୋଜଗାର ସହାୟକ, ହୋମଗାର୍ଡ, ଗାଁ ସାଥୀ, ବିଭିନ୍ନ ଅଫିସରେ କାର୍ଯ୍ୟରତ ଡିଟିପି ଅପରେଟରଙ୍କ ସମେତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଲକ୍ଷାଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ର ମାନ୍ୟତା କେବେ ସରକାର ଦେବେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।