ଆତଙ୍କବାଦୀ ଦମନ ଅଭିଯାନରେ ଭାରତ ରାସ୍ତାରେ ପୁଣି କଣ୍ଟା ହେଲା ଚାଇନା

0
148
ଆତଙ୍କବାଦୀ ଦମନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୯/୧୦) : ଆତଙ୍କବାଦୀ ଦମନ ଅଭିଯାନରେ ବାହାରିଥିବା ଭାରତ ପାଇଁ ପୁଣି ଥରେ କଣ୍ଟା ସାଜିଛି ଚାଇନା । ଜାତିସଂଘରେ ଚାଇନା ର ପୁଣି ଥରେ ଆତଙ୍କବାଦୀ ପ୍ରୀତି ସ୍ପଷ୍ଟ ହୋଇଛି ।

ପାକିସ୍ତାନ ପର୍ଯ୍ୟବସିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦଙ୍କୁ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ଭାରତ ଆଣିଥିବା ପ୍ରସ୍ତାବରେ ଅସମ୍ମତି ପ୍ରକାଶ କରିଛି । ଏହି ପ୍ରସ୍ତାବକୁ ଅଟକାଛି ଚାଇନା । ଗତ କିଛି ମାସ ମଧ୍ୟରେ ଆତଙ୍କବାଦୀ ଦମନ ଅଭିଯାନରେ ବେଜିଂ ର ଚତୁର୍ଥ ଥର ପାଇଁ ଏଭଳି ଆଭିମୁଖ୍ୟ ସାମ୍ନାକୁ ଆସିଛି । ବିଶ୍ୱ ଦରବାରେ ଆତଙ୍କବାଦୀ ସଙ୍ଗଠନକୁ କଳା ତାଲିକାଭୁକ୍ତ କରିବାରେ ବେଜିଂ ବାଧକ ସାଜିଛି । ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଆଲୋଚନା ପାଇଁ ଭାରତ ଏକ ପ୍ରସ୍ତାବ ଦେଇଥିଲା ।

ହେଲେ ଚାଇନା ତା’ର ଭିଟୋ ପାୱାର ପ୍ରୟୋଗ କରି ଏହି ଆଲୋଚନାକୁ ଅଟକାଇଛି । ତେବେ ୟୁଏସ ଟ୍ରେଜେରୀ ଡିପାର୍ଟମେଣ୍ଟ ୨୦୧୬ ରେ ମହମ୍ମଦଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଶ୍ରେଣୀରେ ତାଲିକାଭୁକ୍ତ କରିଛି । ପୂର୍ବରୁ ମୁମ୍ବାଇ ୨୬/୧୧ ହମଲାରେ ସାମିଲ ଥିବା ଆତଙ୍କବାଦୀ ସାଜିଦ ମୀରକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ଚାଇନା ଅଟକାଇ ଦେଇଛି । ମୀରକୁ କଳାତାଲିକା ଭୁକ୍ତ କରି ବିଶ୍ୱ ସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ଓ ଭାରତ ସମେତ ଏକାଧିକ ରାଷ୍ଟ୍ର ପ୍ରସ୍ତାବ ଆଗତ କରିଥିଲେ ।

ହେଲେ ଚାଇନା ଜାତିସଂଘ ସୁରକ୍ଷା ପରିଷଦ ର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଭିଟୋ ପ୍ରୟୋଗ କରି ଏହା ଉପରେ ରୋକ ଲଗାଇଥିଲା । ଜାତିସଂଘ ସୁରକ୍ଷା ପରିଷଦ ର ଅଲ କାଏଦା କଟକଣା କମିଟି ୧୨୬୭ ଅଧୀନରେ ଆମେରିକା ଓ ଭାରତ ସମର୍ଥନରେ ମୀରକୁ କଳା ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଆସିଥିଲା । ଏହି ପ୍ରସ୍ତାବ ଦ୍ୱାରା ମୀରକୁ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯିବା ସହ ତା’ର ସମ୍ପତ୍ତିକୁ ଜବତ ଓ ଯାତ୍ରା ଉପରେ ବ୍ୟାନ ଲଗାଯାଇଥାଆନ୍ତା । ହେଲେ ଚାଇନା ଏହି ପ୍ରସ୍ତାବକୁ ବିରୋଧ କରିଛି । ଏହାପୂର୍ବରୁ ଜୈଶ-ଇ-ମହମ୍ମଦ ର ମୁଖ୍ୟ ମାସୁଦ ଆଝାରର ଭାଇ ଅବଦୁଲ ରୌଫ ଆଝାରକୁ କଳା ତାଲିକାଭୁକ୍ତ କରିବାକୁ ଆମେରିକା ଓ ଭାରତ ଆଣିଥିବା ପ୍ରସ୍ତାବକୁ ମଧ୍ୟ ଜାତିସଂଘରେ ଚାଇନା ବିରୋଧ କରିଥିଲା ।