ହବିଷିଆଳୀ ଗାଇଲେ ନବୀନ ଭଜନ

0
133
ହବିଷିଆଳୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୭/୧୦) : କାର୍ତ୍ତିକ ମାସରେ ଭଗବାନଙ୍କ ଭଜନ କୀର୍ତ୍ତନ ବଦଳରେ ହବିଷିଆଳୀ ଗାଇଲେ ନବୀନ ଭଜନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ହବିଷିଆଳୀମାନେ ଭଜନ ଗାନ କରିଛନ୍ତି ।

ହବିଷିଆଳୀଙ୍କ ପାଇଁ ହୋଇଥିବା ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୁରୀ ଜିଲ୍ଲା ପ୍ରଶାସନ ର ଅନ୍ୟ ଅଧିକାରୀ ଉପସ୍ଥିତ ଥିବାବେଳେ ହବିଷିଆଳୀ ମାନେ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଭଜନ ଗାଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ବୃଦ୍ଧାଙ୍କର ଗଳା ମାଳି, ନବୀନ କରୁଣା ସାଗର ବୋଲି ଅଭିହିତ କରିଥିଲେ । ନବୀନ ସରକାରଙ୍କୁ ବ୍ରହ୍ମା, ବିଷ୍ଣୁ, ହରଙ୍କ ସହ ତୁଳନା କରିବା ସହିତ ଧନ୍ୟ ଧନ୍ୟ ବୋଲି କହିଥିଲେ ହବିଷିଆଳୀ ।

ଗତକାଲି ପୁରୀରେ ହବିଷିଆଳୀଙ୍କୁ ଶାଲ ବଣ୍ଟନ କରାଯାଇଥିଲା । ବୃନ୍ଦାବତୀ ନିବାସ ସମେତ ସମସ୍ତ ପାଞ୍ଚଟି କେନ୍ଦ୍ରରେ ଜିଲ୍ଲାପାଳ ସମର୍ଥ ବର୍ମା ସକାଳୁ ହବିଷିଆଳୀଙ୍କୁ ଶାଲ୍ ବଣ୍ଟନ କରିଥିଲେ । ଚଳିତ ବର୍ଷ ହବିଷିଆଳୀ କେନ୍ଦ୍ରର ଉଦଘାଟନ ବେଳେ ହବିଷ୍ୟାଳୀଙ୍କୁ ଶାଲ୍ ବଣ୍ଟାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସେହି ଅନୁସାରେ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ରହୁଥିବା ହବିଷିଆଳୀମାନଙ୍କୁ ପୁରୀ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଶାଲ ପ୍ରଦାନ କରିଥିଲେ ।

ସମସ୍ତଙ୍କ ଉପସ୍ଥିତିରେ ହବିଷିଆଳୀମାନେ ନବୀନ ନାଁରେ ଭଜନ ଗାଇଥିଲେ । ହବିଷ୍ୟାଳୀଙ୍କର ଏହି ଭଜନଙ୍କୁ ସମସ୍ତେ ଶୁଣିବା ସହ ତାଳି ମାରିଥିଲେ । ଏହି ଘଟଣା ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲିଟି ଥିବାବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ବିରୋଧ କରାଯାଇଛି ।