ଦାଦନଶ୍ରମିକ ଚାଲାଣ ସମସ୍ୟା ର ଅନ୍ତଃ କେବେ ?

0
109
ଦାଦନଶ୍ରମିକ ଚାଲାଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୬/୧୧) : ପଶ୍ଚିମ ଓଡ଼ିଶାର ମୁଖ୍ୟ ସମସ୍ୟା ହେଲା ଦାଦନ ଚାଲାଣ । ଦାଦନଶ୍ରମିକ ଚାଲାଣ ସମସ୍ୟା ରୋକିବା ପାଇଁ ବଲାଙ୍ଗୀର ଏସ ପି ମିଶନ ଉଦ୍ଧାର ଭଳି ପ୍ରୋଜେକ୍ଟ ହାତକୁ ନେଇଛନ୍ତି ।

ଦାଦନଶ୍ରମିକ ଚାଲାଣ ସମସ୍ୟା ର ଅନ୍ତଃ କେବେ ? ପ୍ରତି ବର୍ଷ ନୂଆଁଖାଇ ପରଠାରୁ ଦାଦନ ଶ୍ରମିକ ନେବାକୁ ଦୂର ରାଜ୍ୟରୁ ଠିକାଦାରଙ୍କ ଭିଡ ଜମେ ଖାସ କରି ବଲାଙ୍ଗୀର ଜିଲ୍ଲାରେ, ଇତି ମଧ୍ୟରେ କଣ୍ଟାବାଞ୍ଜି ସହର ବେଶ ପରିଚିତ ହେଲା ଦାଦନ ସର୍ଦ୍ଦାରଙ୍କ ଠାରୁ ପାଖାପାଖି କୋଟିଏ ଟଙ୍କା ହଡ଼ପ ଘଟଣା, ଶେଷରେ ଅନୁସନ୍ଧାନ କରିବା ପରେ କଣ୍ଟାବାଞ୍ଜି ଏସଡିପିଓଙ୍କ ବଦଳି ହେଲା, ଏବେ କିଛି ଦିନ ପୂର୍ବରୁ ଜଣେ ଏସ ଆଇ ଦାଦନ ସର୍ଦ୍ଦାରଙ୍କ ଠାରୁ ଲାଞ୍ଚ ନେବା ଭିଡିଓ ଭାଇରାଲ ହେଲା । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଶ୍ରମିକ ମାନଙ୍କୁ ସରକାର ରୋଜଗାରକ୍ଷମ କରାଇ ନ ପାରିବାରୁ ବେଶୀ ପାଉଣା ପାଇବା ଆଶାରେ ଅଗ୍ରୀମ ଟଙ୍କା ସର୍ଦ୍ଦାରଙ୍କ ଠାରୁ ରଖି ନୂଆଁ ଖାଇବା ପରେ ଚାଲିଯାଆନ୍ତି ଦୂର ରାଜ୍ୟକୁ, ଏହା ପ୍ରତି ବର୍ଷର ଘଟଣା ।

ସରକାର ଦୁନିଆ ଯୋଜନା ଚାଷୀଙ୍କ ପାଇଁ କରୁଛନ୍ତି, କେତେ ସଫଳ ଚାଷୀଙ୍କ କାହାଣୀ ମଧ୍ୟ ଲୋକଙ୍କୁ ଦେଖାଯାଉଛି, କିନ୍ତୁ ବାସ୍ତବ ଚିତ୍ରଟି ସମ୍ପୂର୍ଣ୍ଣ ଅଲଗା, ଯଦି ସଫଳ ଚାଷୀ ବାହାରନ୍ତେ ତା’ହେଲେ ନିଜ ଅଞ୍ଚଳରେ ଚାଷ ପନିପରିବା କମ୍ କିପରି ? ସକାଳ ପାଇଲେ ପଡୋଶୀ ରାଜ୍ୟରୁ ପନିପରିବା ବିକ୍ରି ପାଇଁ ଆସୁଛି, ଆମ ଅଞ୍ଚଳରେ ହେଉଥିବା ଟମାଟୋ, ପିଆଜ ଉତ୍ପାଦନରେ ଆଉ ସେତିକି ନାଁ ନାହିଁ କି ବ୍ୟବସାୟ ବି ହେଉନି, ବାହାର ରାଜ୍ୟର ପନିପରିବା ଉପରେ ଆମେ ନିର୍ଭରଶୀଳ ହେଉଛୁ , କିନ୍ତୁ ସେହି ରାଜ୍ୟ ମାନଙ୍କରେ ଆମ ରାଜ୍ୟର ଶ୍ରମିକ ନିୟୋଜିତ ରହିଛନ୍ତି ।

ପ୍ରତି ବର୍ଷ ରେଳ ଯୋଗେ ହଜାର ହଜାର ମାତ୍ରାରେ ଶ୍ରମିକ ଚାଲାଣ ହେଉଛନ୍ତି, ତାହା ବି ଧରା ପଡ଼ିଲା କୋରୋନା କାଳରେ, ପଞ୍ଜୀକରଣ ଯେତିକି ତା’ଠାରୁ ଅଧିକ ସଂଖ୍ୟାରେ ଶ୍ରମିକ ପରିବାରର ପ୍ରତ୍ୟାବର୍ତ୍ତନ । ତେବେ ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ବଲାଙ୍ଗୀର ଏସ ପି ମିଶନ ଉଦ୍ଧାର ଭଳି ପ୍ରୋଜେକ୍ଟ ହାତକୁ ନେଇଛନ୍ତି, ଯେଉଁଥିରେ କି ଦାଦନ ଖଟିବାକୁ ଯାଉଥିବା ସମସ୍ତ ଶ୍ରମିକ ପଞ୍ଜୀକରଣ କରି ସୁରକ୍ଷିତରେ ଯାଆନ୍ତୁ, ଯଦ୍ୱାରା କିଛି ଅସୁବିଧା ହେଲେ ତାଙ୍କୁ ସହଯୋଗ କରିପାରିବେ । ଯାହାକି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ, କିନ୍ତୁ ଏହି ବଲାଙ୍ଗୀର ଜିଲ୍ଲାର କିଛି ପୋଲିସ ଅଧିକାରୀ ଲାଞ୍ଚ ନେବାବେଳେ ଧରା ପଡିବା ଅତି ଲଜ୍ଜାଜନକ ବିଷୟ ।

ଦାଦନ ସର୍ଦ୍ଦାରଙ୍କ ସହ କିଛି ଦଲାଲ ମଧ୍ୟ ଏହି ଚାଲାଣରେ ସକ୍ରିୟ ଭୂମିକା ତୁଲାଇ ପୋଲିସ ଓ ସର୍ଦ୍ଦାରଙ୍କ ଭିତରେ ଯୋଡ଼ା ପୋଲ ଭଳି କାମ କରୁଛନ୍ତି । ଲୋକ କାମ ନ ପାଇ ଭିଟାମାଟି ଛାଡ଼ୁଛନ୍ତି, ଅନ୍ୟ ପଟେ ସେହି ଦାଦନ ଶ୍ରମିକ ମାନଙ୍କ ମଧ୍ୟରୁ କିଛି ଶ୍ରମିକ ଆଗ ଅଗ୍ରୀମ ଟଙ୍କା ସର୍ଦ୍ଦାର ଠୁ ଆଣୁଛନ୍ତି, ଯିବା ଦିନ ନିଜେ ପୋଲିସକୁ ସୂଚନା ଦେଇ ଜାଣିଶୁଣି ଧରେଇ ହେଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ଉଠିବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ଯିଏ ଯୁଆଡୁ ପାରିଲା ଏହି ଚାଲାଣ ଠାରୁ ରୋଜଗାର କରି ନେବା ସାର ହେଉଛି । ଲୋକ ରାସନ୍ କାର୍ଡ ମଧ୍ୟ କରିଛନ୍ତି, ସେମାନେ ଦାଦନ ଖଟିବାକୁ ଗଲାପରେ ସେହି କାର୍ଡ କ’ଣ ହେଉଛି ?

ସରକାର ଯେତେ ବିକାଶ କାର୍ଯ୍ୟ କଲେ ବି ଦାଦନ ଚାଲାଣ ରୋକିବାରେ ଅସମର୍ଥ । କାଳିଆ ଯୋଜନା ହେଉ ଅନ୍ୟ ଯେ କୌଣସି ଲୋକଙ୍କ ପାଇଁ କରାଯାଉଥିବା ଶହ ଶହ କୋଟି ଟଙ୍କାର ଯୋଜନା ନ କରି ପ୍ରତି ଜିଲ୍ଲାରେ ସେତେ ଟଙ୍କାର କମ୍ପାନୀ କି ରୋଜଗାରକ୍ଷମ ବ୍ୟବସାୟ ଯଦି ସରକାର ହାତକୁ ନେଇ ଆରମ୍ଭ କରି ଥାନ୍ତେ ତା’ହେଲେ ହୁଏ ତ ନିଜ ରାଜ୍ୟ ନିଜ ଜିଲ୍ଲା, ନିଜ ବ୍ଲକରେ ବହୁତ ଲୋକ ରୋଜଗାରକ୍ଷମ ହୋଇ ପାରିଥାନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସରକାର ଏହି ଦାଦନ ସମସ୍ୟା ରୋକିବାକୁ ଆଗାମୀ ଦିନରେ କ’ଣ ପଦକ୍ଷେପ ଗ୍ରହଣ କରିବେ ଦେଖିବାକୁ ରହିଲା ।