ଜିଲ୍ଲା ସ୍ତରୀୟ ବୃହତ୍ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ

0
128
ଜିଲ୍ଲା ସ୍ତରୀୟ ବୃହତ୍

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୬/୧୧) : ତୃଣମୂଳ ସ୍ତରରେ ସମସ୍ତଙ୍କୁ ଆଇନ୍ ଗତ ସୁବିଧା ଯୋଗାଣ କୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ବୃହତ୍ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 11 06 at 20.28.33 1 ଜିଲ୍ଲା ସ୍ତରୀୟ ବୃହତ୍ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ବୃହତ୍ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ସ୍ଥାନୀୟ ନୂତନ ଟାଉନହଲ୍ ଠାରେ ଅନୁଷ୍ଠିତ । ଏହି ସମାରୋହରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଅଧ୍ୟକ୍ଷା ପୁର୍ଣିମା ଜେନା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରିୟରଞ୍ଜନ ବାରିକ୍, ସିନିୟର ସିଭିଲ ଜଜ କମଳାକାନ୍ତ ନାୟକ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ପ୍ରେସିଡେଣ୍ଟ ବାର ଆସୋସିଏସନ ବିଧାନ ଚନ୍ଦ୍ର ପାଣିଗ୍ରାହୀ ଏବଂ ସଭାର ଆବାହକ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ତଥା ବିଚାରପତି କୁମୁଦିନୀ ମୁଦୁଲି ଯୋଗ ଦେଇଥିଲେ । ଭୀମ ଭୋଇ କଳାପରିଷଦ ର କଳାକାର ମାନଙ୍କ ବନ୍ଦେ ଉତ୍କଳ ଜନନୀ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଆବାହକ ମୁଦୁଲି ସ୍ୱାଗତ ସମ୍ଭାଷଣରେ କହିଲେ ଯେ କେନ୍ଦ୍ର ଆଇନ ସେବା ପ୍ରାଧୀକରଣ ଙ୍କ ନୂତନ ନିର୍ଦ୍ଦେଶନାମା ଅନୁସାରେ ଏହିିଭଳି ଆଇନ ସଚେତନତା ଶିବିର ଜରିଆରେ ବିଭିନ୍ନ ଯୋଜନାର ହିତାଧିକାରୀ ମାନେ ଗୋଟିଏ ଜାଗାରେ ଏକକାଳୀନ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇ ପାରିବେ । ତୃଣମୂଳ ସ୍ତରରେ ରହୁଥିବା ଜନସାଧାରଣଙ୍କ ପାଇଁ କାର୍ଯ୍ୟରତ ଏହି ପ୍ରାଧୀକରଣର ସଫଳତା ଓ ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯତ୍ନବାନ ହେବା ଆବଶ୍ୟକ । ମୁଖ୍ୟ ଅତିଥି ଜିଲ୍ଲପାଳ ଅବୋଲି ସୁନୀଲ ନରୱଣେ ଏଭଳି ଶିବିର ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ଏବଂ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଇନ୍ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ 5T ହାଇସ୍କୁଲ୍ ରେ ଏଥିପାଇଁ କର୍ମଶାଳା ଆୟୋଜନ କରାଯିବା ପାଇଁ ପରାମର୍ଶ ଦେଇଥିଲେ ।

ସମସ୍ତ ଅତିଥି ନିଜ ଅଭିଭାଷଣରେ ନାଗରିକ ମାନଙ୍କୁ ନିଜର ନ୍ୟାୟୋଚିତ ଅଧିକାର ସାବ୍ୟସ୍ତ କରିବା ସହିତ ସମାଜ ପ୍ରତି ନିଜ କର୍ତ୍ତବ୍ୟ ସମ୍ଵନ୍ଧରେ ଚେତାଇ ଦେଇଥିଲେ । ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ଭେଦଭାବ ବିନା ସମସ୍ତେ ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି । ବିଶେଷକରି ଅନୁସୂଚିତ ଜାତି, ଜନଜାତି ବର୍ଗ, ମହିଳା, ଭିନ୍ନକ୍ଷମ ମାନଙ୍କୁ ବିପଦ ସମୟରେ ସମସ୍ତ ପ୍ରକାରର ଆଇନଗତ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସବୁବେଳେ ପ୍ରସ୍ତୁତ ଥିବାରୁ ଏହାର ପ୍ରସଂଶା କରିଥିଲେ । ଭୀମଭୋଇ କଳା ପରିଷଦ ଏବଂ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।

ଏହି ଅବସରରେ ଜିଲ୍ଲା ଶ୍ରମ ଉନ୍ନୟନ ଅଧିକାରୀ ଙ୍କ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଓ ଅଣ ସଂଗଠିତ ଶ୍ରମିକ କଲ୍ୟାଣ ଯୋଜନାରେ ମୃତ୍ୟୁ ସହାୟତା ତଥା ଅନ୍ୟାନ୍ୟ ସହାୟତା ପାଇଁ ଚାରଭଟା ର ଗେଲ ରଣା ଙ୍କୁ ଦୁଇ ଲକ୍ଷ, କମସରା ର ପଦ୍ମିନୀ ବେହେରାଙ୍କୁ ଦୁଇ ଲକ୍ଷ, ବାଘହାଣ୍ଡି ର ଗୋପ ନାଏକ ଙ୍କୁ ଏକ ଲକ୍ଷ, ସମଲେଇ ଚୁଆ ର ଶାନ୍ତିଲତା ବରିହା ଙ୍କୁ ଏକ ଲକ୍ଷ, ସୌମୀତ୍ରି କଂସାରି ଙ୍କୁ ପଚାଶ ହଜାର ସହାୟତା ଚେକ୍ ପ୍ରଦାନ କରାଯାଇଥିଲା ।

ବିଭିନ୍ନ ପେନ୍ସନ ଯୋଜନାରେ ବୁଢ଼ା ବୁଢୀ ଏବଂ ଭିନ୍ନକ୍ଷମ ମାନଙ୍କୁ ଭତ୍ତା କାର୍ଡ଼ ଓ ମମତା ଯୋଜନାର ହିତାଧିକାରୀ ମାନଙ୍କୁ ସହାୟତା ତଥା ଭିନ୍ନକ୍ଷମ ମାନଙ୍କୁ ହୁଇଲ ଚେୟାର ବଣ୍ଟନ କରାଯାଇଥିଲା । ଏହି ସମାରୋହରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସେମାନଙ୍କ ଶିବିର ଆୟୋଜନ କରି ଜନସାଧାରଣଙ୍କୁ ଉପଲବ୍ଧ ସେବା ବିଷୟରେ ସଚେତନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ସ୍ୱାଇଁ, ଏ ସି ଏଫ ପ୍ରଫୁଲ୍ଲ ଧରୁଆ, ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ୱର ଖାକା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଆର୍ଟିଓ ଅକ୍ଷୟ କୁମାର ଜେନା ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ , ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ସିଡ଼ିପିଓ ସହ ଯୋଗ କରିଥିଲେ । ଶିବିରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା, ଆଇନଜୀବୀ, ସିଭିଲ ସୋସାଇଟି ସଦସ୍ୟ, ବରିଷ୍ଠ ନାଗରିକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ୱୟଂ ସହାୟକ ଦଳ କର୍ମକର୍ତ୍ତା, ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ଉପଭୋକ୍ତା ଯୋଗ ଦେଇଥିଲେ I