ଆସାମ ଓ ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ, ଫରେଷ୍ଟ ଗାର୍ଡଙ୍କ ସମେତ ୬ ମୃତ

0
141
ଆସାମ ଓ ମେଘାଳୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଆସାମ/ଗୌହାଟୀ, (୨୩/୧୧) : କାଠ ଗଣ୍ଡି ଚୋରା ଚାଲାଣକୁ ନେଇ ଆସାମ ଓ ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ ହୋଇଛି ।

ଆସାମ ଓ ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଏଥିରେ ଜଣେ ଫରେଷ୍ଟ ଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଟ୍ରକ୍‌ରେ କିଛି ଲୋକ କାଠଗଣ୍ଡି ଚୋରା ଚାଲାଣ କରୁଥିବା ପୁଲିସ୍‌ ଠାବ କରିବା ପରେ ଏପରି ଘଟଣା ଘଟିଛି । ଏହି ସଂଘର୍ଷ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମେଘାଳୟ ସରକାର ସୀମାନ୍ତ ଅଞ୍ଚଳର ୭ ଟି ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ଟ୍ରକ୍‌ଟିକୁ ମେଘାଳୟ ସୀମାନ୍ତ ମୋଇକରଙ୍ଗ ଠାରେ ଆସାମ ଫରେଷ୍ଟ ଡିପାର୍ଟମେଣ୍ଟର ଗୋଟିଏ ଟିମ୍‌ ଅଟକାଇ ଥିଲା । ରାତି ପ୍ରାୟ ୩ଟା ବେଳେ ଟ୍ରକ୍‌କୁ ଠାବ କରାଯାଇଥିଲା । ଅଧିକାରୀମାନେ ଏହାକୁ ଯାଞ୍ଚ କରିବାକୁ ଉଦ୍ୟମ କରୁଥିବେ ବେଳେ ଟ୍ରକଟି ଫେରାର ହୋଇଯିବାକୁ ଚେଷ୍ଟା କରିଥିଲା ।

କିଛି ସମୟର ଛକାପଞ୍ଝା ପରେ ବନ ସୁରକ୍ଷାକର୍ମୀ ମାନେ କାଠ ଚାଲାଣ ହେଉଥିବା ଟ୍ରକ୍‌କୁ ଗୁଳି କରି ଟାୟାର ପମ୍ପଚର କରି ଦେଇଥିଲେ । ଏହାପରେ ଟ୍ରକ ଡ୍ରାଇଭର ସମେତ ୩ ଜଣଙ୍କୁ କାବୁ କରି ବନ ସୁରକ୍ଷାକର୍ମୀ ଜିରିକିଙ୍ଗ ନିକଟକୁ ଆଣିଥିଲେ । ଏଥିସହ ଜିରିକେଣ୍ଡିଂ ପୁଲିସ୍‌ ଷ୍ଟେସନକୁ ଖବର ଦେଇ ଅଧିକ ସୁରକ୍ଷାକର୍ମୀ ମଗାଇଥିଲେ ।

ସେମାନେ ସୁରକ୍ଷାକର୍ମୀଙ୍କୁ ଅପେକ୍ଷା କରିଥିବା ବେଳେ ହଠାତ୍‌ ମେଘାଳୟ ପଟୁ ଶତାଧିକ ଲୋକ ଦା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଭୋର ପ୍ରାୟ ୫ଟା ବେଳେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ସେମାନେ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ବନ ସୁରକ୍ଷାକର୍ମୀ ଓ ସେଠାରେ ଉପସ୍ଥିତି ଥିବା କିଛି ପୁଲିସ୍‌ କର୍ମଚାରୀ ଆତ୍ମରକ୍ଷା ପାଇଁ ଲୋକଙ୍କୁ ଗୁଳିମାଡ଼ କରିଥିଲେ ।

ଏହି ରକ୍ତାକ୍ତ ସଂଘର୍ଷରେ ଜଣେ ଫରେଷ୍ଟ ଗାର୍ଡଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି । ମୃତ ଫରେଷ୍ଟ ଗାର୍ଡ ଜଣଙ୍କ ହେଉଛନ୍ତି ବିଦ୍ୟା ସିଂହ ଲେହତେ । ସେହିପରି ଅଭିମନ୍ୟୁ ନାମକ ଆଉ ଜଣେ ଫରେଷ୍ଟ ଗାର୍ଡ ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଏହା ବାଦ ଜଣେ ଫରେଷ୍ଟ ହୋମ ଗାର୍ଡ ଓ ଖାସି ସଂପ୍ରଦାୟର ୩ ଜଣ ଲୋକଙ୍କର ମଧ୍ୟ ଜୀବନ ଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲେ ମଧ୍ୟ ସ୍ଥିତି ଅଧିକ ବିଗିଡ଼ି ନଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି ।