
ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୦୨/୧୨) : ଆଜି ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପିବ ପଦ୍ମପୁର ଉପନିର୍ବାଚନ । ପ୍ରଚାର ପାଇଁ ଆଜି ପଦ୍ମପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳ ଓ ଝାରବନ୍ଧରେ ଜନ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ଯାହାକୁ ନେଇ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ରାତିରେ କ୍ୟାବିନେଟ ବସାଇ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମଂଜୁରୀ ଦିଅନ୍ତୁ । ପଦ୍ମପୁରକୁ ଜିଲ୍ଲା ଗଠନର ବିଜ୍ଞପ୍ତି ଚିଠା ଧରି ଆସନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ପଦ୍ମପୁର ବାସୀଙ୍କ ବିଶ୍ୱାସ ରହିଛି । ତେଣୁ ପଦ୍ମପୁର ଜିଲ୍ଲା ଗଠନ ନେଇ ରାତି ଅଧିଆ କ୍ୟାବିନେଟର କୌଣସି ଆବଶ୍ୟକତା ନାହିଁ ।
ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଆଜି ପଦ୍ମପୁର ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଞ୍ଚଳରେ ଅପରାଜିତା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୨୦୦୧ ରେ ବରଗଡ଼ ତତ୍କାଳୀନ ଜିଲ୍ଲାପାଳ ଥିଲେ ଅପରାଜିତା । ତେଣୁ ତାଙ୍କର ଏହି ପ୍ରଚାର ଦଳ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି । ପ୍ରଚାର ପାଇଁ ଗତକାଲି ରେଳ ଯୋଗେ ପଦ୍ମପୁର ଗସ୍ତରେ ଯାଇଥିଲେ ଅପରାଜିତା ।