ନିର୍ଦ୍ଦୟ ମାଲିକ : ପିଟି ପିଟି ନାବାଳିକାର ହାତ ଭାଙ୍ଗିଦେଲା

0
124
ନିର୍ଦ୍ଦୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୧୨) : ନିର୍ଦ୍ଦୟ ମାଲିକ ! ମରିଗଲା ମାନବିକତା । ହଜିଗଲା ମଣିଷପଣିଆ । ଜଣେ ଗରୀବ ଶ୍ରେଣୀର ନାବାଳିକାକୁ ଘର କାମରେ ସହାୟତା ନିମନ୍ତେ ରଖି ଦେଲେ ଅକଥନୀୟ ନିର୍ଯାତନା ।

ଏପରିକି ପ୍ରବଳ ଖଟାଇବା ସହ ସାମାନ୍ୟ ଭୁଲରେ ନାବାଳିକାଟିକୁ ଗୋରୁ ଗାଇ ପରି ପିଟିବାକୁ ପଛାଇଲେ ନାହିଁ । ନିର୍ଦ୍ଦୟ ମାଲିକ ମାଡ଼ରେ ପିଲାଟିର ହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏପରି ଅଭାବନୀୟ, ଅମାନବୀୟ ଘଟଣା ରାଜଧାନୀ ଛାତି ଉପରେ ଘଟିଥିବା ବେଳେ ପୁଲିସ୍‌ ଏହି ନିର୍ଦ୍ଦୟ ଘର ମାଲିକଙ୍କୁ ଗିରଫ କରିଛି ।

ଏଭଳି ଘଟଣା ରାଜଧାନୀର ସାଲିଆ ସାହି ଅଞ୍ଚଳରେ ଘଟିଛି । ସାଲିଆ ସାହିର ଜଣେ ୧୧ ବର୍ଷୀୟ ନାବାଳିକାକୁ ଜଣେ ବ୍ୟକ୍ତି ଘରୋଇ ସହାୟିକା ଭାବେ ରଖିଥିଲେ । ହେଲେ ବ୍ୟକ୍ତିଜଣକ ପିଲାଟିକୁ ପ୍ରବଳ ଖଟାଇବା ସହ ପ୍ରବଳ ମାଡ଼ ବି ମାରୁଥିଲେ । ଏପରିକି ନିର୍ଯାତନା ଦିନକୁ ଦିନ ସୀମା ଟପିବାରେ ଲାଗିଥିବା ବେଳେ ବ୍ୟକ୍ତିଜଣକ ଲୁହାରଡ଼ରେ ପିଟି ପିଟି ପିଲାଟିର ହାତ ଭାଙ୍ଗି ଦେଇଛନ୍ତି । ସେତିକିରେ ତାଙ୍କ ମନ ବୁଝିଲାନି ଯେ ସେ ପିଲାଟିକୁ ରକ୍ତାକ୍ତ ଅବସ୍ଥାରେ ନୟାପଲ୍ଲୀ ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ । ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଗୁରୁତର ନାବାଳିକାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଚାଇଲ୍ଡଲାଇନ ପକ୍ଷରୁ ଥାନାରେ ଏତଲା ପରେ ପୁଲିସ୍‌ ସଂପୃକ୍ତ ଘର ମାଲିକକୁ ଗିରଫ କରିଛି ।