ଆଣ୍ଟି ରାଗିଂ କମିଟି ର ସୁପାରିସ ଅନୁସାରେ ୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା

0
132
ଆଣ୍ଟି ରାଗିଂ କମିଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୦୭/୧୨) : ରାଗିଂ ପାଇଁ ଆଣ୍ଟି ରାଗିଂ କମିଟି ର ସୁପାରିସ ଅନୁସାରେ ୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା । ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ୭ ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି ।

ଆଣ୍ଟି ରାଗିଂ କମିଟି ର ସୁପାରିସ ଅନୁସାରେ କଲେଜ ଅଧ୍ୟକ୍ଷ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି । ଯଦି ସେମାନେ କ୍ୟାମ୍ପସକୁ ଆସନ୍ତି ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ୭ ଜଣ ଛାତ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିଛନ୍ତି । ଅନ୍ୟପକ୍ଷରେ ରାଗିଂ କରିଥିବା ଛାତ୍ରମାନେ ଯଦି ଫର୍ମ ଫିଲ୍ ଅପ୍ କରିଛନ୍ତି ତେବେ ପରୀକ୍ଷା ଦେଇପାରିବେ ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଗତମାସ ଖଲ୍ଲିକୋଟ ଜୁନିୟର କଲେଜର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ଦ୍ୱିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ହଇରାଣ କରୁଥିଲେ । ଏମିତିକି ସମ୍ପୃକ୍ତ ଛାତ୍ରୀଙ୍କୁ ଉକ୍ତ ଛାତ୍ରମାନେ ପିଛା କରିବା ସହ କ୍ଲାସକୁ ଯିବା ବେଳେ ବି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ । ଏ ନେଇ ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଛାତ୍ରୀ ଜଣଙ୍କୁ ଉକ୍ତ ଯୁବକମାନେ ବାରମ୍ବାର ଏପରି ହଇରାଣ କରୁଥିବାରୁ ପୂର୍ବରୁ ୧୦ଜଣ ଛାତ୍ରଙ୍କୁ ଚିହ୍ନଟ କରି ୧୦ ଦିନ ପାଇଁ କ୍ୟାମ୍ପସରୁ ବହିଷ୍କୃତ କରିଥିଲେ କଲେଜ କର୍ତ୍ତୃପକ୍ଷ । ଏହା ପରେ ବି ସେମାନଙ୍କ ଆଚରଣ ଓ ବ୍ୟବହାରରେ କୌଣସି ସୁଧାର ନ ଆସିବାରୁ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥର ସେମାନଙ୍କୁ କଲେଜ କ୍ୟାମ୍ପସ୍‌ ବାରଣ କରି ଦିଆଯାଇଛି ।

କିଛିଦିନ ପୂର୍ବେ ରାଗିଂ ଅଭିଯୋଗରେ କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ୍ ମାଇନିଂ କର୍ତ୍ତୃପକ୍ଷ ୮୨ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ ପକାଇଥିଲେ । କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ୍ ମାଇନିଂ କର୍ତ୍ତୃପକ୍ଷ ଏହି ଫାଇନ୍‌ କରିଥିଲେ । ଏହା ସହ ସମ୍ପୃକ୍ତ ଛାତ୍ର ମାନଙ୍କୁ ଲାଇବ୍ରେରୀରୁ ବହି ମଧ୍ୟ ଦିଆଯିବନି ବୋଲି କୁହାଯାଇଥିଲା । ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିଲେ । ଏ ସମ୍ପର୍କରେ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ସୂଚନା ଯୋଗ୍ୟ, ରାଗିଂ ବିରୋଧୀ ଅଭିଯାନକୁ ଏବେ ଚାରିଆଡ଼େ ଜୋରଦାର କରାଯାଉଛି । ରାଗିଂ ନିମନ୍ତେ ବହୁ ଛାତ୍ରଛାତ୍ରୀ ଅକାଳରେ ଜୀବନ ହାରୁଛନ୍ତି । ଏହାକୁ ରୋକିବାକୁ ଏବେ କଲେଜ ପ୍ରଶାସନ ସମେତ ପୁଲିସ୍‌ ପ୍ରଶାସନ ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।