ଟେନ୍‌ସନ୍‌ ବଢ଼ାଇଲାଣି କୋଭିଡ୍‌ : ଅଫଲାଇନ୍‌ ପରୀକ୍ଷାକୁ ନେଇ ଶଙ୍କାରେ +୨ ଛାତ୍ରଛାତ୍ରୀ

0
85
ଟେନ୍‌ସନ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୨/୦୧) : ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଟେନ୍‌ସନ୍‌ ବଢ଼ାଇଲାଣି କୋଭିଡ୍‌ର ଚତୁର୍ଥ ଲହର ।

ତିନି ବର୍ଷ ପରେ ଶତ ପ୍ରତିଶତ ସିଲାବସ୍‌ରେ ଅଫଲାଇନ୍‌ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ବେଶ୍‌ ଉତ୍ସୁକ ଅଛନ୍ତି । ହେଲେ କରୋନା ଯୋଗୁଁ ପରୀକ୍ଷା ସୂଚାରୁ ରୂପେ ସମ୍ପାଦନ ହୋଇ ପାରିବ ନା ନାହିଁ ତାକୁ ନେଇ ଟେନ୍‌ସନ୍‌ ବଢ଼ାଇଲାଣି କୋଭିଡ୍‌ର ଚତୁର୍ଥ ଲହର । ଯୁକ୍ତ ୨ ଅଫଲାଇନ୍‌ ପରୀକ୍ଷା ନିମନ୍ତେ ଯଦିଓ ଦୁଇ ମାସ ପୂର୍ବରୁ ପରିଷଦ ଘୋଷଣା କରି ସାରିଛି, ତଥାପି ପିଲାଙ୍କ ସବୁ ଦ୍ୱନ୍ଦ୍ୱ ଦୂର ହୋଇନି ।

ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ନିମନ୍ତେ କେତୋଟି ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚାଳନା ହବ୍ ହେବ ଆସନ୍ତା ୧୫ ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ। କପି ରୋକିବା ଲାଗି ସବୁ ଥର ଭଳି ଏଥର ବି ଫ୍ଲାଇଂ ସ୍କ୍ୱାର୍ଡ ବ୍ୟବସ୍ଥା ହେବ । ପରୀକ୍ଷାକୁ ଶୃଙ୍ଖଳିତ କରିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଯଦି କୋଭିଡ ଫେରେ ତେବେ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ୍ ଆଧାରରେ ପରୀକ୍ଷା ହେବ। ଏଥର ପୁରା ସିଲାବସ୍ ସାଙ୍ଗକୁ ଅଫଲାଇନ୍‌ରେ ପରୀକ୍ଷା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ବେଶ୍‌ ଉତ୍ସାହିତ ଅଛନ୍ତି ।

ତେବେ କୋଭିଡ୍ ସଂକ୍ରମଣ ଡର ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ପଡୋଶୀ ଚୀନ୍‌ରେ ମହାମାରୀ କରାଳ ରୂପ ଧାରଣ କରି ସାରିଥିବା ବେଳେ ଦେଶରେ କେତେବେଳେ ବି ସ୍ଥିତି ବିଗିଡି ଯିବାର ଶଙ୍କା ଦେଖାଦେଇଛି । ଏହାବାଦ ଯେଉଁସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ନାହିଁ ସେଠାରେ ପରୀକ୍ଷାରେ ସ୍ୱଚ୍ଛତା ରଖିବା ବି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । କାରଣ ବାରମ୍ବାର ପ୍ରଶ୍ନପତ୍ର ଲିକ୍‌କୁ ନେଇ ପରିଷଦକୁ ବିଷମ ସ୍ଥିତିର ସାମ୍ନା କରିବାକୁ ପଡୁଛି ।ଅନ୍ୟପକ୍ଷରେ ମାର୍ଚ୍ଚ ୧୦ରୁ ୧୯ ଯାଏଁ ୧୦ ଦିନ ପରୀକ୍ଷା ବନ୍ଦ ରହିବ ।

ଏହି ସମୟରେ ମାଟ୍ରିକ୍ ସମେଟିଭ୍-ଟୁ ପରୀକ୍ଷା ହେବାର ସମ୍ଭାବନା ରହିଛି । ପ୍ରଶାସନିକ ପରିଚାଳନା ଦୃଷ୍ଟିରୁ ଏହି ୧୦ ଦିନ ପରୀକ୍ଷା ବନ୍ଦ ରହିବ । ତେବେ ଏହାଦ୍ୱାରା ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଏକାଗ୍ରତା ଉପରେ ପ୍ରଭାବ ପଡିପାରେ ବୋଲି ଶିକ୍ଷାବିତ ଆଶଙ୍କା ବ୍ୟକ୍ତ କରିଛନ୍ତି । ଛାତ୍ରଛାତ୍ରୀ ମାନେ ପରୀକ୍ଷା ନିମନ୍ତେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ହେଲେ କରୋନା ଯୋଗୁଁ ସରକାର କିଛି କଡ଼ାକଡ଼ି ନିୟମ ଲାଗୁ କଲେ ଏହାଦ୍ୱାରା ସେମାନଙ୍କ ମନୋବଳ ଭାଙ୍ଗିପାରେ । ଏହାର ପ୍ରଭାବ ସେମାନଙ୍କ ରେଜଲ୍ଟ ଉପରେ ପଡ଼ିବାର ଆଶଙ୍କା ଥିବା ଜଣେ ଛାତ୍ର କହିଛନ୍ତି ।