ଦୁର୍ଘଟଣା ପରେ ସାଇକେଲ ସହ ଝିଅକୁ ୨୦୦ ମିଟର ଯାଏ ଘୋଷାଡ଼ି ନେଲା କାର୍‌

0
104
ଦୁର୍ଘଟଣା ପରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଲକ୍ଷ୍ନୌ, (୦୫/୦୧) : ଦିଲ୍ଲୀ ଅଞ୍ଜଳି ଲୋମହର୍ଷଣକାରୀ ମୃତ୍ୟୁ ଘଟଣାର ପୁନରାବୃତ୍ତି ଘଟିଛି । ଦୁର୍ଘଟଣା ପରେ ଜଣେ ଝିଅକୁ ସାଇକେଲ ସହ ୨୦୦ ମିଟର ଯାଏ ରାସ୍ତାରେ ଘୋଷାଡି ନେଇଛି ଗୋଟିଏ କାର୍‌ । ଉତ୍ତର ପ୍ରଦେଶର କୌଶମ୍ଭୀ ଅନ୍ତର୍ଗତ ଦେବଖରପୁର ଗାଁ’ରେ ଏପରି ଘଟଣା ଘଟିଛି ।

ଝିଅଟି ସାଇକେଲରେ ଯାଉଥିବା ବେଳେ ଦ୍ରୁତଗାମୀ କାରଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଏହାପରେ ସେ କାରରେ ସାଇକେଲ ସହ ଲାଖି ଯାଇଥିଲେ । ସେହି ଅବସ୍ଥାରେ କାର ଚାଳକ ଜଣକ ତାଙ୍କୁ ୨୦୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଏହି ଘଟଣାଟି ଦିଲ୍ଲୀ ଘଟଣାର କିଛି ଘଣ୍ଟା ପରେ ଘଟିଥିବା କୁହାଯାଉଛି । ଶନିବାର ବିଳମ୍ବିତ ରାତିରେ ଅଞ୍ଜଳିଙ୍କୁ ଗୋଟିଏ କାର ଧକ୍କା ଦେବା ସହ ଦୀର୍ଘ ୧୨ କିମି ଯାଏ ଘୋଷାଡ଼ି ନେଇଥିଲା । ଫଳରେ ତାଙ୍କର ଭୟଙ୍କର ମୃତ୍ୟୁ ଘଟିଥିଲା । ଏହା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଉତ୍ତର ପ୍ରଦେଶରେ ଏହାର ପୁନରାବୃତ୍ତି ଘଟିଛି । ପୁଲିସ୍‌ କହିଛି ଯେ ଦୁର୍ଘଟଣା ପରେ ସାଇକେଲ ସହ ଝିଅଟି କାର୍‌ରେ ଲାଖି ଯାଇଥିଲେ ।

ଏକଥା ଜାଣି ନପାରି ଡ୍ରାଇଭର ଜଣଙ୍କ ତାଙ୍କୁ ବେଶ କିଛି ବାଟ ଟାଣି ନେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଗାଁ ଲୋକମାନେ ଗୁରୁତର ଆହତ ହୋଇଥିବା ଝିଅକୁ ପୁଲିସ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ଡ୍ରାଇଭର ବିରୋଧରେ ପୁଲିସ୍‌ ମାମଲା ରୁଜ୍ଜୁ କରିବା ସହ କାରକୁ ଜବତ କରିଛି । ଆହତ ଝିଅର ମା’ ରେଣୁ ଦେବୀ କହିଛନ୍ତି, ଜାନୁଆରୀ ୧ ତାରିଖ ମଧ୍ୟାହ୍ନ ସମୟରେ ଝିଅ ନେବେତି ସାଇକେଲ ନେଇ ଯାଉଥିବା ବେଳେ ପଛ ପଟୁ ଗୋଟିଏ କାର ଧକ୍କା ଦେଇଥିଲା । ଏଥିସହ ଝିଅକୁ କିଛି ବାଟ ଘୋଷାଡ଼ି ନେଇ ରାସ୍ତା କଡ଼ରେ ଥିବା ଗାତରେ ଗଳି ପଡ଼ିଥିଲା । ଘଟଣା ପରେ ଡ୍ରାଇଭର ଜଣକ ଫେରାର ହୋଇଯାଇଥିଲା । ଗାଁ ଲୋକଙ୍କ ସହାୟତାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ କହିଛନ୍ତି ।