ପୁଷପୁନି ଭେଟଘାଟ ର ଉଦଘାଟନୀ ଓ ଉଦଯାପନୀ ଉତ୍ସବ ପାଳନ : ଯୋଗଦେଲେ ଉପ ଜିଲ୍ଲାପାଳ

0
156
ପୁଷପୁନି

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୮/୧) : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସଦର ମହକୁମା ସ୍ଥିତ ସାଗର ଗୁଡା ସହିଦ୍ ଲକ୍ଷ୍ମଣ ନାୟକ ପଡ଼ିଆ ଠାରେ ପୁଷପୁନି ଭେଟଘାଟ ର ଉଦଘାଟନୀ ଓ ଉଦଯାପନୀ ଉତ୍ସବ ପାଳନ ହୋଇଯାଇଛି ।

ପୁଷପୁନି ଭେଟଘାଟ ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗ ଦେଇଥିଲେ ।ଅତିଥିଙ୍କୁ ସାଗର ଗୁଡା ସ୍ଥିତ ଶିକ୍ଷକ ଭବନଠାରୁ ସଂଘର କର୍ମକର୍ତ୍ତା ଓ ଉପସ୍ଥିତ ଆଦିବାବାସୀ ମାନେ ଢେମସା ନାଚର ତାଳେ ତାଳେ ପଡ଼ିଆ ମଧ୍ୟକୁ ପାଛୋଟି ନେଇଥିଲେ । ଉଦଘାଟନୀ ଉତ୍ସବରେ ପ୍ରଥମେ ପଡ଼ିଆରେ ଥିବା ଠାକୁରାଣୀ ପୀଠରେ ପୂଜାର୍ଚ୍ଚନା କରି ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ସଂଗଠନ ତରଫରୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

ମୁଖ୍ୟ ଅତିଥି ଏହି ପୁଷପୁନି ପରବ ଆଦିବାସୀ ଅଞ୍ଚଳର ଅଧିବାସୀଙ୍କ ପାଇଁ ଏକ ମୁଖ୍ୟ ଓ ହସଖୁସିର ପାରମ୍ପରିକ ପର୍ବ ବୋଲି କହିଥିଲେ । ଏହାକୁ ଏହି ଅଞ୍ଚଳରେ ବହୁ ଆଡ଼ମ୍ବର ସହ ପାଳନ କରାଯାଏ । ଆଜି ସେହି ପର୍ବକୁ ସମ୍ବଳିତ ଭାବେ ପାଳନ କରାଯାଉଛି । ଆଜିର ଦିନରେ ଆଧୁନିକତାର ଯୁଗରେ ମଧ୍ୟ ପରମ୍ପରାକୁ ଲୋକେ ଭୁଲି ନାହାଁନ୍ତି । ଭୁଲନ୍ତୁ ନାହିଁ ମଧ୍ୟ । ପରମ୍ପରା ଆମକୁ ପରିଚୟ ଦେଇଥାଏ । ସେହି ପରିଚୟକୁ ନେଇ ଆମେ ବଞ୍ଚିଥାଉ । ପରମ୍ପରା ଥରେ ଲୋପ ପାଇଲେ ପୁନରୁଦ୍ଧାର କରିବା ବହୁ କଷ୍ଟ ହୋଇଯିବ ।

ଆଜିର ଏହି ଖୁସିର ଦିନଟିକୁ ସମସ୍ତେ ହସଖୁସିର ସହ ପାଳନ କରି ଏହି ପରବଟିକୁ ସବୁଦିନ ପାଇଁ ଉଦ୍ଜୀବିତ ରଖିବା ପାଇଁ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ତଥା ଆଦିବାସୀ ଗବେଷକ ଅଧ୍ୟାପକ ଡ.ରାଜେନ୍ଦ୍ର ପାଢୀ, ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘର ସଭାପତି ମହେଶ୍ୱର ପେଣ୍ଟିଆ, ସମ୍ପାଦକ ତ୍ରିନାଥ ସମରଥ, ଉପ ସଭାପତି ଚନ୍ଦ୍ର ସଗରିଆ, ଉପଦେଷ୍ଟା ପିତାମ୍ବର ନାୟକ, ଜିଲ୍ଲା ପରିଷଦ ସଭ୍ୟା କନକଲତା ପେଣ୍ଟିଆ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତ୍ରିନାଥ ହରିଜନ ପ୍ରମୁଖ ମଞ୍ଚାସୀନ ଥିଲେ ।

ଉଦଘାଟନୀ ଉତ୍ସବ ପରେ ବିଭିନ୍ନ ସମାଜରୁ ଆସିଥିବା ଦୁରୁଆ ନାଚ, ଡଣ୍ଡାହଲିଆ, କୁକୁଡ଼ା ନାଚ, ମୁଞ୍ଜରାମାଝୀ ନାଚ, ଢେମସା, କକିର ନାଚ, କୋରାପୁଟିଆ, ନାଚ ଓ ବିଭିନ୍ନ ଜାତିର ପାରମ୍ପରିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶିରା, ଦିଶାରୀ, ଗୁରୁମାଇଁ, ନିଜ ନିଜର ଦେବୀ ଲାଠି, କୁରୁଚି, କଣ୍ଟାଦଳି, ଓ ବାଦ୍ୟଯନ୍ତ୍ର ଆଦି ପ୍ରଦର୍ଶନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, କୋଟପାଡ ବିଧାୟିକା ପଦ୍ମିନୀ ଦିଆନ, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଜିଲ୍ଲା ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା, ଉପାଧ୍ୟକ୍ଷ ତରୁଣୀସେନ ବିଶୋଇ, ଲ୍ୟାମ୍ପ ଅଧ୍ୟକ୍ଷା ସୁଭଦ୍ରା ଭୂମିଆ, ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟାଙ୍କ ସମେତ ବିଭିନ୍ନ ସମାଜର ଜିଲ୍ଲା ଓ ବ୍ଲକ ମୁଖ୍ୟ ମାନେ ମଞ୍ଚାସୀନ ଥିଲେ ।

ବ୍ଲକ ସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଏ ଅଞ୍ଚଳର ପାରମ୍ପରିକ କଳା, ସଂସ୍କୃତି, ଖାଦ୍ୟ, ଚାଲି ଚଳଣି, ଆଦିକୁ ପ୍ରଦର୍ଶନ କରି ପରମ୍ପରାକୁ ବଞ୍ଚାଇ ରଖିବା ବହୁ ବଡ଼ ପ୍ରଚେଷ୍ଟା ତଥା ଏହା କୋରାପୁଟ ଜିଲ୍ଲାର କେବଳ କୁନ୍ଦୁରା ବ୍ଲକ ରେ ସ୍ଥାନୀୟ ମୂଳ ଅଧିବାସୀ ସଂଘ ଦ୍ଵାରା ପ୍ରତି ବର୍ଷ ପାଳନ କରାଯାଉଛି ଏବଂ ଏ ନେଇ ସଂଗଠନକୁ ଧନ୍ୟବାଦ ଜଣାଇବା ସହ ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଦ୍ଵାରା ସରକାରୀ ସହାୟତା ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ କୁନ୍ଦୁରା ବ୍ଲକର ଲିମା ପଞ୍ଚାୟତର ନୁଆଗୁଡା ଗ୍ରାମର ସଫଳ ଚାଷୀ ୬୨ ପ୍ରକାର ଦେଶୀ ଧାନ ଚାଷ ଓ ମାଣ୍ଡିଆ ଧାଡ଼ିରୁଆ କରିଥିବାରୁ ରାଇମତି ଘିଉରିଆଙ୍କୁ, ସଫଳ ଆଦିବାସୀ ଛାତ୍ର ଭାବେ ଅନନ୍ତ ଗାଦବା ଓ ଆଦିବାସୀ ଛାତ୍ରୀଙ୍କ ଶୈକ୍ଷିକ ବିକାଶ ନିମନ୍ତେ ଦିର୍ଘ ବର୍ଷ ଧରି ଆସନା ପଞ୍ଚାୟତରେ କାର୍ଯ୍ୟ କରିଆସୁଥିବା ଅନୁଷ୍ଠାନ KDF ମୁଖ୍ୟ ସନ୍ତୋଷ କୁମାର ସାହୁଙ୍କୁ ସମ୍ମାନ ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

ଗତ ୪ ତାରିଖ ଠାରୁ ଚାଲିଥିବା ଭଲି ବଲ ଟୁର୍ଣ୍ଣାମେଣ୍ଟ ରେ ବ୍ଲକ ର ୩୨ ଟି ଦଳ ଭାଗ ନେଇଥିଲେ ସେଥି ମଧ୍ୟରୁ ଜିରାଗୁଡା ଦଳ ପ୍ରଥମ ଓ ଜବା ପାତ୍ରପୁଟ ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ପରବରେ ଭାଗ ନେଇଥିବା ସମସ୍ତ ସାଂସ୍କୃତିକ ଦଳ, ସଙ୍ଗୀତ, ମହୁରିଆ, ଶିରା, ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଆଜିର ପୁଷ୍ ପୁନି ଭେଟଘାଟ ଉଦଯାପନୀ ସନ୍ଧ୍ୟାରେ ୨ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । କାର୍ଯ୍ୟକ୍ରମକୁ ସଂଗଠନର ସଦସ୍ୟ ତଥା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତ୍ରିନାଥ ହରିଜନ ପରିଚାଳନା କରିଥିବା ବେଳେ ରାମକୃଷ୍ଣ ନାୟକ, ମାଳି ନାୟକ, ଧନୁର୍ଯୟ ଗଣ୍ଡା, ଭକ୍ତ ନାୟକ, ଭଜମନ ସାନ୍ତା, ଲବ ପରଜା, ଦାମୋଦର ଗଣ୍ଡା, ମୋନଜ କୁମାର ବେହେରା, ରାମନାଥ ଭୂମିଆ, ପ୍ରମୁଖ ସହଯୋଗ କରିଥିଲେ ।