ନବ ଦାସଙ୍କ ବିଜ୍‌ନେସ୍ ପାର୍ଟନରଙ୍କୁ ଶନିବାର ମିଳିଥିଲା ହତ୍ୟା ଧମକ

0
120
ନବ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୯/୦୧) : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଆଜି ଗୁଳିମାଡ଼ ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଗତକାଲି ତାଙ୍କ ବିଜ୍‌ନେସ୍ ପାର୍ଟନର ସଞ୍ଜୟ ନନ୍ଦଙ୍କୁ ହତ୍ୟା ଧମକ ମିଳିଥିଲା ।

ଏ ନେଇ ସଞ୍ଜୟ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ସୂଚନା ଅନୁଯାୟୀ, କେହି ଦୁର୍ବୃତ୍ତ ସଞ୍ଜୟଙ୍କୁ ୫୦ ଲକ୍ଷ ଟଙ୍କା ମାଗିବା ସହିତ ହତ୍ୟା କରିବାକୁ ଧମକ ଦେଇଥିଲେ । ସୂଚନାଯୋଗ୍ୟ, ସଞ୍ଜୟ ନନ୍ଦ ହେଉଛନ୍ତି ମା’ ତାରିଣୀ ଟ୍ରାନ୍ସପୋର୍ଟର ମାଲିକ । ଆଉ ନବ ଦାସଙ୍କର ଏଥିରେ ଶେଆର ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । କାର୍ଯ୍ୟକ୍ରମ ସ୍ଥଳ ନିକଟରେ ରାସ୍ତାରେ ସେ କାର୍‌ରୁ ଓହ୍ଲାଇବା କ୍ଷଣି ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ।

ବ୍ରଜରାଜନଗର ଗାନ୍ଧି ଛକ ପୁଲିସ୍ ଆଉଟ୍‌ପୋଷ୍ଟର ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ତାଙ୍କ ଛାତିରେ ବାଜିଥିଲା । ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ନବ ଦାସଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଥିଲା। ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ପୁଲିସ୍ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ, ତାହା ଜଣାପଡ଼ିନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଘଟଣାସ୍ଥଳ ଅଭିମୁଖେ ଯାତ୍ରା କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ ସେଠାକୁ ଯାଇଛନ୍ତି ।