ଆଇସିୟୁରେ ନକଲି ସାର୍ଟିଫିକେଟ୍ ମାଷ୍ଟରମାଇଣ୍ଡ ଆଲୋକ ଉଦଗାତା

0
135
ଆଇସିୟୁରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୮/୦୪) : ନକଲି ସାର୍ଟିଫିକେଟ୍ ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଆଲୋକ ଉଦଗାତା ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି । ତାଙ୍କୁ ଆଇସିୟୁରେ ରଖାଯାଇଥିବାର ସୂଚନା ମିଳିଛି ।

ଆଇସିୟୁରେ ନକଲି ସାର୍ଟିଫିକେଟ୍ ମାଷ୍ଟରମାଇଣ୍ଡ ଆଲୋକ ଉଦଗାତା । କ୍ରାଇମବ୍ରାଞ୍ଚ୍ ଆଲୋକଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ଆଣିଥିଲା । ସୂଚନାଯୋଗ୍ୟ, ଗତ ବୁଧବାରଠାରୁ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରି ଅଧିକରୁ ଅଧିକ ତଥ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ ସଂଗ୍ରହ କରୁଛି । ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହିତ ଚାରିଜଣ ଅଭିଯୁକ୍ତଙ୍କଠାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଧିକାରୀମାନେ ପାଇସାରିଲେଣି । ଏପରିକି ଦୁଇ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ଆଲୋକ ଉଦ୍‌ଗାତାଙ୍କ ସ୍ତ୍ରୀଙ୍କୁ ଟାଉନ ଥାନାକୁ ଡାକି କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ମମତାରାଣୀ ପଣ୍ଡା ପଚରାଉଚରା କରିଛନ୍ତି । ଗତକାଲି ଅପରାହ୍ନ ୫ଟାରେ ଚାରିଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିଥିଲା । ମାଷ୍ଟରମାଇଣ୍ଡ ମନୋଜ ମିଶ୍ର, ସହଯୋଗୀ ଆଲୋକ ଉଦ୍‌ଗାତା ଏବଂ ନକଲି ସାର୍ଟିଫିକେଟ କିଣିଥିବା ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କୁ ରିଜର୍ଭ ବାରାକରେ ରଖି କ୍ରାଇମବ୍ରାଞ୍ଚ ଜେରା କରୁଛି । ଗତକାଲିଠାରୁ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିଂହ୍ନା ପହଞ୍ଚି ତଦନ୍ତର ସମୀକ୍ଷା କରିବା ସହ ଆଜି ନିଜେ କ୍ଷେତ୍ର ପରିଦର୍ଶନ ବି କରିଛନ୍ତି ।

କ୍ରାଇମବ୍ରାଞ୍ଚର ମୋଟ ୧୦ ଜଣିଆ ଟିମ୍‌ ଏବେ ଭାଗ ଭାଗ ହୋଇ ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି । ଟାଉନା ଥାନାରେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ମମତାରାଣୀ ପଣ୍ଡା ତନାଘନା କରୁଛନ୍ତି । ଆଉ ଏକ ଟିମ ଦୁଇଦିନ ହେଲା ଚାରିଜଣ ଅଭିଯୁକ୍ତଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛି । ଅନେକ ତଥ୍ୟ ମଧ୍ୟ ହାସଲ କରିଛି । ତେଣୁ ଏବେ ଅଭିଯୁକ୍ତ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଜଣ ଜଣ କରି ସମସ୍ତଙ୍କୁ ଗିରଫ କରିବାକୁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର କହିଛନ୍ତି, ରାଜ୍ୟ ବାହାରକୁ ଟିମ ଯିବ ନିଶ୍ଚିତ । ଏହାସହ ଆଗକୁ ଗିରଫଦାରୀ ବହୁ ସଂଖ୍ୟାରେ ବଢ଼ିବ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ଏହି ଜାଲ ସାର୍ଟିଫିକେଟ କାରବାରରେ ବିଭିନ୍ନ ସରକାରୀ ବିଭାଗରେ ବଡ଼ବଡ଼ିଆଙ୍କ ମଧ୍ୟ ସଂପୃକ୍ତି ଥାଇପାରେ । ତେଣୁ କ୍ରାଇମବ୍ରାଞ୍ଚ ସେଦିଗରେ ମଧ୍ୟ ତଦନ୍ତ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।