ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି

0
84
ସ୍ୱାସ୍ଥ୍ୟ ସେବାର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୧/୦୫) : ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । କୁନି ଶିଶୁପୁତ୍ରକୁ ଧରି ୬ ଘଂଟା ବିଭିନ୍ନ ଡାକ୍ତରଖାନା ଧାଇଁଲେ ପରିବାର ଲୋକେ ହେଲେ ଡାକ୍ତର ଦେଖିଲାବେଳକୁ ଶିଶୁଟିଆଉ ବଞ୍ଚିନଥିଲ ।

ମୋ ନାତି ଆଉ କାନ୍ଦୁନି । ତାର କ’ଣ ହୋଇଛି ଟିକିଏ କହିଦିଅ । ତୁମେ ଟିକିଏ ଚେଷ୍ଟାକର ଡାକ୍ତର ବାବୁ ମୋ ନାତିଟା ବଞ୍ଚିଯିବ । ଏଭଳି କିଛି ଗୁହାରି କରି କୋଳରେ ଏକମାସର ନାତିକୁ ଧରି ଏତେବଡ ଖରାରେ ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ଧାଉଁଥିଲା ବୁଢି ମାଁ ଜଣକ । କେବଳ ସେତିକି ନୁହେଁ ସିଡିଏମଓଙ୍କୁ ଖୋଜି ଖୋଜି ଶେଷରେ କୁନି ଶିଶୁକୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବି ପହଞ୍ଚି ଯାଇଥିଲା ବୁଢି ମାଁ ଜଣକ । ହେଲେ କେହି ଶୁଣୁନଥିଲେ ତା’ର କଥା । ସତେ ଯେମିତି ସମସ୍ତେ ନିଷ୍ଠୁର ହୋଇଯାଇଥିଲେ । ଶେଷରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ବୁଢି ମାଁ ଜଣକ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରସୁତି କାଳୀନ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଢିମାଁଙ୍କୁ ପଠେଇ ଦିଆଯାଇଥିଲା । ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଡାକ୍ତରଖାନାରେ ବୁଢି ମାଁ କୋଳରେ ଥିବା ଶିଶୁଟିକୁ ମୃତ ଘୋଷଣା କରିଥିଲେ ଡାକ୍ତର । ସ୍ୱାସ୍ଥ୍ୟ ସେବାର ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ ।

ଅଭିଯୋଗ ଅନୁସାରେ ଡୁଙ୍ଗୁରିପାଲି ବ୍ଲକ କପାସିରା ଗାଁ’ର ସମ୍ରାଟ ପଧାନ ଏବଂ କୁନି ପଧାନଙ୍କ ଏହି ଶିଶୁପୁତ୍ରଟିକୁ ଏକମାସ ହୋଇସାରିଥିବାବେଳେ ଆଜି ହଠାତ ତାର ଦେହ ଅସୁସ୍ଥ ହୋଇଯାଇଥିଲା । ଫଳରେ ସମ୍ରାଟଙ୍କ କୁନି ଶିଶୁପୁତ୍ରକୁ ନେଇ ସୋନପୁର ପ୍ରସୁତି କାଳୀନ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରଣ କରିଥିଲେ । ଫଳରେ ୧୦୮ ଆମ୍ବୁଲାନ୍ସରେ ଶିଶୁଟିକୁ ବୁର୍ଲା ନେଇଯାଉଥିଲେ ପରିବାର ଲୋକ । ହେଲେ ଉଲୁଣ୍ଡା ନିକଟରେ ଶିଶୁଟିର ସ୍ୱାସ୍ଥ୍ୟ ଅଧିକ ଖରାପ ଥିବା ଅନୁଭବ କରି ପରିବାର ଲୋକ ଉଲୁଣ୍ଡା ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତରମାନେ ଶିଶୁଟିର ଚିକିତ୍ସା କରିବା ବଦଳରେ ପୁନର୍ବାର ସୋନପୁରକୁ ନେଇଯିବାକୁ କହିଥିଲେ । ଏଣୁ ପରିବାର ଲୋକ ଶିଶୁଟିକୁ ନେଇ ପୁନର୍ବାର ପ୍ରସୁତି କାଳୀନ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ ।

ହେଲେ ସେଠାରେ ମଧ୍ୟ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା ତ ଦୂରର କଥା ଶିଶୁଟିର ଅବସ୍ଥା କିଭଳି ଅଛି ମଧ୍ୟ କହିନଥିଲେ ହସପିଟାଲ କତୃପକ୍ଷ । ଏମିତିକି ପୁନର୍ବାର ଉଲୁଣ୍ଡା ନେଇଯିବାକୁ କହିଥିଲେ । ଫଳରେ ଉପାୟ ନପାଇ ଦିନ ୧୧ ରୁ ୫ ଟା ପର୍ଯ୍ୟନ୍ତ କୁନି ଶିଶୁଟିକୁ କୋଳରେ ନେଇ ବିଭିନ୍ନ ହସପିଟାଲ, ସିଡିଏମଓ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଧାଇଁଥିଲେ ପତି ପତ୍ନୀ ଓ ବୁଢି ମାଁ । ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୁନର୍ବାର ପ୍ରସୁତି କାଳୀନ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁଟିର ସ୍ୱାସ୍ଥ୍ୟ ଜାଂଚ କରାଯାଇଥିଲା । କିନ୍ତୁ ସତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଏବେ ମୃତ ଶିଶୁଟକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ସମ୍ରାଟ,କୁନି ଓ ବୁଢି ମାଁ ।

ଏଭଳି ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ ପରିବାର ଲୋକ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଏଭଳି କାଯ୍ୟକଳାପକୁ ନେଇ ଅଭିଯୋଗ କରିଛନ୍ତି । ତେବେ ଏନେଇ ସିଡିଏମଓ ଙ୍କ କହିବା କଥା ହେଲା ଯେହେତୁ ଶିଶୁ ଟିର ଅବସ୍ଥା ଗୁରୁତର ଥିଲା ତେଣୁ ତାକୁ ବୁର୍ଲା ରେଫର୍ କରାଯାଇଥିଲା ହେଲେ ଯିବା ରାସ୍ତାରେ ହିଁ ଶିଶୁ ଟିର ମୃତ୍ୟୁ ହେଇଯାଇଥିଲା ହେଲେ ସେମାନେ ଉଲୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଇଥିଲେ ହେଲେ ସେଠାରେ ଶିଶୁରୋଗ ବିଶେଷଜ୍ଞ ନଥିବା ହେତୁ ସେମାନେ ତାଙ୍କୁ ପୁଣି ସୋନପୁର ଡାକ୍ତରଖାନାକୁ ପଠାଇଦେଇଥିଲେ ।