କଂଗ୍ରେସ ର ନୂତନ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା ପାଇଁ ରୁଦ୍ଧଦ୍ଵାର ବୈଠକ

0
192
କଂଗ୍ରେସ ର

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୨/୬) : କୋରାପୁଟ ଜିଲ୍ଲା କୋଟପାଡ଼ ପୌରାଧ୍ଯକ୍ଷ ଶଙ୍କର ରାଓଙ୍କ ପ୍ରକୋଷ୍ଠରେ କୋରାପୁଟ ଜିଲ୍ଲା କଂଗ୍ରେସ ର ନୂତନ ସଭାପତି ଦୁର୍ଗା ଶଙ୍କର ସାହୁଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଗତ କାଲି ସନ୍ଧ୍ୟାରେ ଏକ ରୁଦ୍ଧ ଦ୍ଵାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଗତ ୯ ତାରିଖ ଦିନ ଏ.ଆଇ.ସି.ସି. ସମ୍ପାଦକ କେ.ସି.ଭେନୁଗୋପାଳ, କୋରାପୁଟ ଜିଲ୍ଲା କଂଗ୍ରେସ ର ନୂତନ ଜିଲ୍ଲା ସଭାପତି ଭାବରେ ଶ୍ରୀ ଦୁର୍ଗା ଶଙ୍କର ସାହୁଙ୍କ ନାମ ଘୋଷଣା କରିବା ପରେ ଅନେକ ନିଷ୍କ୍ରିୟ କଂଗ୍ରେସ କର୍ମୀ ହଠାତ ସକ୍ରିୟ ହୋଇ ପଡିଥିବା ଦେଖା ଯାଇଛି । ଶ୍ରୀ ସାହୁଙ୍କୁ ସ୍ଵାଗତ କରିବାକୁ କର୍ମୀମାନେ ଉକଣ୍ଠିତ ଥିବାବେଳେ କେତେକ ନେତା ପଛଘୁଞ୍ଚା ଦେଉଥିବା ଲକ୍ଷ୍ୟ କରାଯାଉଥିବାରୁ ଦଳରେ ଅସନ୍ତୋଷ ପରିଲକ୍ଷିତ ହେଉଛି । ତେବେ ପୌରାଧ୍ୟକ୍ଷ ଙ୍କ ପ୍ରକୋଷ୍ଠରେ ଶ୍ରୀ ମନୋହର ବିଶୋୟୀଙ୍କ ସଭାପତିତ୍ଵରେ ଏ ନେଇ ଏକ ରୁଦ୍ଧ ଦ୍ଵାର ବୈଠକ ଅନୁଷ୍ଠିତ ହୋଇଯାଇଥିବା ସୂଚନା ମିଳିଛି । ଶ୍ରୀ ସାହୁ ଜଣେ ଟାଣୁଆ ଦକ୍ଷ ନେତା ତଥା ଜଣେ ସୁ-ସଂଗଠକ ହୋଇଥିବାରୁ କର୍ମୀ ମହଲରେ ମଧ୍ୟ ପରିବର୍ତ୍ତନ ଓ ଉତ୍ସାହ ଦେଖା ଦେଇଛି । ତାଙ୍କୁ ଯୋଗାଯୋଗ କରିବା ସହ ତାରିଖ ନିର୍ଦ୍ଧାରିତ କରି ଗୋଟିଏ ସମ୍ବର୍ଦ୍ଧନା ସଭାର ଆୟୋଜନ କରିବାପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ତେବେ କଂଗ୍ରେସ କାର୍ଯ୍ୟାଳୟରେ ସରପଞ୍ଚ, ସମିତି ସଭ୍ୟ, କାଉନ୍ସିଲର ମାନଙ୍କୁ ଏକତ୍ରିତ କରି ବୈଠକ ନକରି ଥିବାରୁ କର୍ମୀ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ।