ପୂର୍ବ ଶତ୍ରୁତାରୁ ପୂର୍ବତନ ସରପଞ୍ଚଙ୍କୁ ଖଣ୍ଡାରେ ଆକ୍ରମଣ

0
80

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୦୫/୦୭) : ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ଦୁର୍ବୃତ୍ତ ମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି ।

ପ୍ରଶାନ୍ତ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରୁ ନିଜ ଗ୍ରାମ ଚଞ୍ଚଡ଼ାପଲ୍ଲୀ କୁ ଫେରୁଥିବା ସମୟରେ ଠାକୁରାଣୀ ମନ୍ଦିର ପଛପଟ ସାହି ଶେଷରେ ପୂର୍ବ ପ୍ରସ୍ତୁତି କ୍ରମେ ଛକି ବସିଥୁବା ଦୁର୍ବୃତ୍ତମାନେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ । ନନ୍ଦନ ବେହେରା ନାମକ ଜଣେ ଯୁବକ ଏହି ଆକ୍ରମଣ କରିଥିବା ଜଣାପଡିଛି । ଆକ୍ରମଣକାରୀ ଜଣକ ବଚନ ସ୍ୱାଇଁଙ୍କ କେସ ସାକ୍ଷୀ କାହିଁକି କାଟିଲୁ ବେ କହି ଖଣ୍ଡାରେ ଚୋଟ ପରେ ଚୋଟ ମାରିଥିଲା । ପ୍ରଶାନ୍ତ ପ୍ରାଣ ଭୟରେ ରଙ୍କ ଗୌଡ଼ଙ୍କ ଘରେ ଭିତରେ ପଶିଯାଇ ଜୀବନ ବଞ୍ଚାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଇଥିଲା ।

ତାଙ୍କ ଶରୀରର ଗୋଡ଼, ହାତ, ଜଙ୍ଘ, ପିଠି ଆଦି ପ୍ରାୟ 6ଟି ସ୍ଥାନରେ ଖଣ୍ଡା ଚୋଟ ପଡ଼ିଥିବା ଦେଖିବାକୁ ମିଳିଥିଲା । ସୂଚନା ପ୍ରକାରେ ପ୍ରଶାନ୍ତ ସରପଞ୍ଚ ଥିବା ସମୟରେ ବଚନ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ସେହି ହତ୍ୟା ମାମଲାରେ କଙ୍ଗୁରୁ ଭୂଇଁଆ ଏବେ ଜେଲରେ ଅଛ । ଏହି ମାମଲାରେ ପ୍ରଶାନ୍ତ ସାକ୍ଷୀ ଥିଲେ। ବଚନ ସ୍ୱାଇଁଙ୍କ ମୃତ୍ୟୁ ପରେ ତାଙ୍କ ୨ ଭାଇ ଜୟସେନ ଓ ମିଥୁନ ଗାଁ ବାହାରେ ରହୁଛନ୍ତି । ଉଭୟ ପରିବାର ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗିରହିଛି । ଜୟସେନଙ୍କ ଗୋଷ୍ଠି ଏକ ବର୍ଷ ପୂର୍ବେ ପଞ୍ଚୁ ଭୂଇଁଆ ଙ୍କୁ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ଗୋଡ ହରାଇଥିଲେ । ଏ ନେଇ ପ୍ରଶାନ୍ତ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦିଗପହଣ୍ଡି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।