ଓଲଟିଲା ଯାତ୍ରୀବାହୀ ବସ୍‌, ଜଣେ ଶିଶୁ ସମେତ ୧୪ ଗୁରୁତର

1
60

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୯/୦୭) : ଓଲଟିଲା ଯାତ୍ରୀବାହୀ ବସ୍‌ । ଜଣେ ଶିଶୁ ସମେତ ୧୪ ଗୁରୁତର । ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଏହି ଦୁର୍ଘଟଣା ଘଟିଛି ।

ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ଓଲଟି ପଡ଼ିଥିବା ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି । ଏହି ବସ୍‌ ପାଣିକୋଇଲିରୁ ଯାଜପୁରରୋଡ ଦେଇ କଂରଞ୍ଜିଆ ଯାଉଥିଲା । ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ରାସ୍ତା କଡ଼କୁ ବସ୍‌ଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ଏହା ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଏକଜୁଟ ହୋଇଥିଲେ। ସେପଟେ ଖବର ପାଇ କଳିଙ୍ଗନଗର ଏଡିଏମ୍‌ ଓ ସ୍ଥାନୀୟ ପୁଲିସ ପହଞ୍ଚି ଲୋକଙ୍କୁ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲା ।

ତେବେ ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏହି ରାସ୍ତା ନୂଆ କରି ନିର୍ମାଣ ହୋଇଥିଲେ ହେଁ ଅଣଓସାରିଆ ହେବା ସାଙ୍ଗକୁ ରାସ୍ତା ମଝିରେ କଂକ୍ରିଟ ଡିଭାଇଡର କରାଯିବା ଦୁର୍ଘଟଣାର କାରଣ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତା ପାର୍ଶ୍ୱରୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ଜମିବାରୁ କିଛି ଘଣ୍ଟା ପାଇଁ ଏହି ରାସ୍ତା ଦେଇ ଯାତାୟତ ମଧ୍ୟ ପ୍ରଭାବିତ ହୋଇଥିଲା । ପୁଲିସ ଟିମ୍ ଭିଡ଼ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇଛି ।

1 COMMENT

Comments are closed.