ସାର ସମସ୍ୟା ନେଇ ତାତିଲେ ଚାଷୀ : ଟାୟାର ଜାଳି ଛତିଶଗଡ଼ ଓ କୋଟପାଡ଼ ରାସ୍ତା ଅବରୋଧ

0
208

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୩୧/୦୮) : ସାର ସମସ୍ୟା ନେଇ ତାତିଲେ କୋଷାଗୁମୁଡ଼ା ବ୍ଲକ ଚାଷୀ । ସାର ଅଭାବକୁ ନେଇ କୋଷାଗୁମୁଡ଼ା ଲ୍ୟାମ୍ପ କାର୍ଯ୍ୟାଳୟରେ ତାଲା ପକାଇଲେ ଶତାଧିକ ଚାଷୀ । ଏହା ସହିତ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ କରୁଛନ୍ତି ଚାଷୀ । କୋଷାଗୁମୁଡ଼ାରୁ ଛତିଶଗଡ଼ ଓ କୋଟପାଡ଼ ରାସ୍ତାରେ ଅବରୋଧ କରିଛନ୍ତି ଚାଷୀ ।

ଖବର ଅନୁଯାୟୀ, ଦୀର୍ଘ ଦିନ ହେବ କୋଷାଗୁମୁଡ଼ା ବ୍ଲକ ଅଞ୍ଚଳରେ ସାର ନେଇ ସମସ୍ୟା ଲାଗି ରହିଥିଲା । ଚାଷୀମାନେ ଏନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କିମ୍ବା ଲ୍ୟାମ୍ପ ଶୁଣୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଶେଷର ଆଜି ଚାଷୀମାନେ ସାର ସମସ୍ୟା ନେଇ କୋଷାଗୁମୁଡ଼ା ଲ୍ୟାମ୍ପ କାର୍ଯ୍ୟାଳୟରେ ତାଲା ପକାଇବା ସହ କୋଷାଗୁମୁଡ଼ାରୁ ଛତିଶଗଡ ଓ କୋଟପାଡ଼ ଯିବା ରାସ୍ତାକୁ ଅବରୋଧ କରିଛନ୍ତି ।

ରାଜରାସ୍ତାରେ ଟାୟାର ଜାଳି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଯାହାଫଳର ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିବା ସହ ଯାନବାହାନ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି । ଲ୍ୟାମ୍ପ ଦ୍ୱାରା ଯୋଗାଇ ଦିଆଯାଉଥିବା ସାର ଚାଷୀ ମାନଙ୍କୁ ନ ଦେଇ କଳାବଜାରୀ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ଲ୍ୟାମ୍ପ କର୍ମଚାରୀ ଓ ଅସାଧୁ ବ୍ୟବସାୟୀ ମଧୁ ଚନ୍ଦ୍ରିକା ରେ ସାର କଳାବଜାରୀ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ସମସ୍ତ ଚାଷୀ ମାନଙ୍କୁ ସାର ନ ଯୋଗାଇ ଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯିବ ବୋଲି ଚାଷୀ ମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।