1. big news : ଛାତ୍ରୀଙ୍କ ଗାଲ ଚିପି ବନ୍ଧା ହେଲେ ରସିକିଆ କଲେଜ ଅଧ୍ୟକ୍ଷ

0
64
ଛାତ୍ରୀଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୦୯/୦୮) : ଛାତ୍ରୀଙ୍କ ଗାଲ ଚିପି ବନ୍ଧା ହେଲେ ରସିକିଆ କଲେଜ ଅଧ୍ୟକ୍ଷ : – କଲେଜ ଅଧ୍ୟକ୍ଷଙ୍କୁ ନିଜ ସମସ୍ୟା ଜଣାଇବାକୁ ଯାଇଥିଲେ ୨ ଛାତ୍ରୀ । ହେଲେ ଛାତ୍ରୀମାନଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସେମାନଙ୍କ ଉପରେ ପକାଇଲେ ଲୋଲୁପ ଦୃଷ୍ଟି ।

ଏପରିକି ତୁମେ ମୋ’ କଥା ବୁଝିଲେ ମୁଁ ବି ତୁମ କଥା ବୁଝିବି କହି ଛାତ୍ରୀଙ୍କ ଗାଲକୁ ଚିମୁଟି ଦେଲେ । ଶେଷରେ କଥା ପଦାକୁ ଆସି ଥାନାରେ ପହଞ୍ଚିବା ପରେ ବନ୍ଧା ହେଲେ ରସିକିଆ କଲେଜ ଅଧ୍ୟକ୍ଷ । ଏପରି ଲଜ୍ଜାଜନକ ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେନ୍ଦୁଢିପି ନବ ଚୌଧୁରୀ ମହାବିଦ୍ୟାଳୟରେ ଘଟିଛି । ଗୁରୁ ନାଁରେ କଳଙ୍କ ସାଜିଥିବା ଏହି ଶିକ୍ଷକଙ୍କ ନାଁ ପ୍ରଦୀପ୍ତ ହାତୀ ବୋଲି ଜଣାଯାଇଛି । ଯୁକ୍ତ ୨ ର ଦୁଇ ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ତାଙ୍କୁ ବାନ୍ଧିଛି ।

ଛାତ୍ରୀଦ୍ୱୟଙ୍କ ଅଭିଯୋଗ ଅନୁଯାୟୀ, ଆମେ ଏହି କଲେଜରେ ନାଁ ଲେଖାଇଥିବା ବେଳେ ଏଠାରେ ପାଠର ନାଁ ଗନ୍ଧ ନାହିଁ । କ୍ଲାସ ହେଉନି । ପ୍ରାକ୍ଟିକାଲ ହେଉନି । ଉପସ୍ଥାନ ବି ପଡ଼ୁନି । ଏହି ସମସ୍ୟା ସମ୍ପର୍କରେ ଜଣାଇବାକୁ ଆମେ କଲେଜ ଅଧ୍ୟକ୍ଷଙ୍କ ନିକଟକୁ ଯାଇଥିଲେ । ମାତ୍ର ସେ ଏକୁଟିଆ ଥିବା ବେଳେ ଆମ କଥା ଶୁଣି ହସିଥିଲେ । ଏପରିକି ମୋ’ କଥା ବୁଝିଲେ ମୁଁ ବି ତୁମ କଥା ବୁଝିବି ବୋଲି କହିବା ସହ ଗାଲକୁ ଚିମୁଟି ଦେଇଥିଲେ । ଏହା ଶୁଣି ଆମେ ଦୌଡ଼ି ପଳାଇଯିବାରୁ ସେ ବି ଆମକୁ ପିଛା କରି ଆସିଥିଲେ ।

ଏଥିସହ ଏହି କଥା ବାହାରେ ପ୍ରଘଟ କଲେ ପରୀକ୍ଷାରେ ଫେଲ୍‌ କରି ଦେବାର ଧମକ ଦେଇଥିଲେ । ଏ ନେଇ ଦୁଇ ନାବାଳିକା କଲେଜ ଛାତ୍ରୀ ଇଟାମାଟି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ହାତୀ ଏବଂ ଦୁଇ ନାବାଳିକାଙ୍କ ଡାକ୍ତରୀ ମାଇନା ହୋଇଛି l କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି । ଏହି ଘଟଣା ନେଇ ଅଧ୍ୟକ୍ଷ କୌଣସି ମତାମତ ଦେଇ ନାହାନ୍ତି ।