1. Best News : ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି

0
73
ବ୍ୟୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୨/୦୮) : ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି : – ବହୁ ପ୍ରତିକ୍ଷୀତ “ପ୍ରଥା” ର ଟ୍ରେଲର ଆଜି ବହୁ ସିନେ ପ୍ରେମୀ, ସିନେ ସମୀକ୍ଷକ ତଥା ନିର୍ଦ୍ଦେଶକ ଓ ପ୍ରଯୋଜକ ଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ପ୍ରଦର୍ଶନ ହୋଇଯାଇଛି l

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା”: ଅନେକ ବର୍ଷ ବ୍ୟବଧାନ ରେ ଏକ ନିଛକ ପାରମ୍ପରିକ ମୌଳିକ କାହାଣୀ ସହିତ ବିଗ ବଜେଟ ର ଆକ୍ସନ ଫିଲ୍ମର ଟ୍ରେଲର ଦେଖି ଉପସ୍ଥିତ ସମସ୍ତ ଦର୍ଶକ ବେଶ ଉତ୍ସାହିତ ଥିଲେ l ଓଡ଼ିଆ ଝିଅ ସନଲିଶା ପଟେଲ ଦିଲ୍ଲୀ ରେ ଅବସ୍ଥାପିତ ହୋଇ ଓଡ଼ିଆ ଦର୍ଶକ ଙ୍କ ପାଇଁ କିଛି ନୂଆ ପ୍ରକାର ମନୋରଞ୍ଜନ ଯୋଗାଇଦେବା ପାଇଁ ମନବଳେଇବା କମ୍ କଥା ନୁହେଁ l ତେବେ ଆଜି ସିନେପଲିସ ପ୍ରେକ୍ଷାଳୟ ରେ ପ୍ରଥା ଚଳଚ୍ଚିତ୍ର ର ଟ୍ରେଲର ଦେଖିଲା ପରେ ଓଡ଼ିଆ ଚଳଚ୍ଚିତ୍ର ର ନିର୍ମାଣ ଶୈଳୀ କେତେ ଉଚ୍ଚ ରେ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରେ ବଖାଣି ଥିଲେ l ଶିଶୁ କଳାକାର ରୁ ନାୟକ ସାଜି ଆଜି ଆକ୍ସନ ହିରୋ ଭାବେ ନିଜର ନିଖୁଣ ଅଭିନୟ ଦେଖାଇଥିବା ସ୍ୱରାଜ ବାରିକ ଙ୍କ ପ୍ରଶଂସା ସବୁରି ମୁହଁ ରୁ ଶୁଣିବାକୁ ମିଳିଥିଲା l

ଓଲିଉଡ଼ ଅଭିନେତ୍ରୀ ଶୀତଲଙ୍କ ଅଭିନୟ ମଧ୍ୟ ମତୁଆଲା କରିଛି ଦର୍ଶକଙ୍କୁ, ହେଲେ ମୁମ୍ବାଇର ଅଭିନେତ୍ରୀ ସିମ୍ରନ୍ କୌରଙ୍କ ଉପରେ ଦର୍ଶକଙ୍କ ନଜର ଜୋର ଥିଲା l ନିର୍ଦ୍ଦେଶକ କେ. ମୁରଳୀକ୍ରିଷ୍ଣାଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ନିଶ୍ଚିତ ଲୋକାଦୃତ ହେବ | ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଶଂସକ ମହଲରେ ଗୁଣୁଗୁଣୁ ଶୁଭୁଥିଲା l ପ୍ରଥା ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶନରେ ଅତିଥି ଭାବେ ବରିଷ୍ଠ ଅଭିନେତ୍ରୀ ତନ୍ଦ୍ରା ରାୟ, କୁନା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ l

ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା” ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ । ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଛନ୍ତି l ତାଙ୍କ ସହିତ ମୁଖ୍ୟ ଚରିତ୍ର ରେ ଅଛନ୍ତି ମୁମ୍ବାଇ ଅବସ୍ଥାପିତ ମଡେଲ ଅଭିନେତ୍ରୀ ସିମ୍ରନ୍ କୌର। ସିମ୍ରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ ଆର୍ଟିଷ୍ଟ । ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ତେବେ ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ଅଗଷ୍ଟ ୨୧ ତାରିଖ ରେ ପ୍ରଥା ର ପ୍ରଥମ ଗ୍ଲିମ୍ପସେସ୍ ରିଲିଜ ହେଇଯାଇଛି ଏବଂ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ l ଚଳଚ୍ଚିତ୍ର ର ପ୍ରଚାର ଚାରିଆଡେ ବିଭିନ୍ନ ଗଣମାଧ୍ୟମ ତଥା ପୋଷ୍ଟର ମାଧ୍ୟମରେ ଆରମ୍ଭ ହୋଇଯାଇଛି l

ଏହି ଚଳଚ୍ଚିତ୍ରରେ ଡିଓପି ନରେନ୍ଦ୍ର ଗୌଡ଼, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଓ ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର ଅଛନ୍ତି l ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ ସମେତ ସୁଦୂର ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି l ତେବେ ଆସନ୍ତା ସେପ୍ଟେମ୍ବର ୧୫ ରେ ମୁକ୍ତିଲାଭ କଲେ ଗଣେଶ ପୂଜା ବଜାର ସରଗରମ ହେବ ବୋଲି ଦର୍ଶକ ଙ୍କ ମନରେ ଉତ୍କଣ୍ଠା ରହିଛି l ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l