Best Sport News: ଏସିଆ କପ୍ ମହାସମର : ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

0
84
ଏସିଆ କପ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୯) : ଜାରି ରହିଛି ଏସିଆ କପ୍ ମହାସମର । ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ – ପାକିସ୍ତାନ । ଏହି ମ୍ୟାଚକୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ।

ଏସିଆ କପ୍ ମହାସମର : ମ୍ୟାଚ୍ ଦେଖିବା ପାଇଁ ବହୁ ଦର୍ଶକ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି । କାଣ୍ଡି ସହରର ସବୁ ହୋଟେଲ ବୁକ୍‌ ସରିଛି । ମାତ୍ର ବର୍ଷା ଆଶଙ୍କା ସବୁ ସମର୍ଥକଙ୍କ ମନରେ ନିରାଶ ଭରି ଦେଇଛି । ଆଜି କାଣ୍ଡି ସହରରେ ୮୦ ପ୍ରତିଶତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ କାଣ୍ଡିରେ ପହଞ୍ଚି ନେଟ୍‌ ପ୍ରାକ୍ଟିସ୍‌ କରିଛି । ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ ରୋମାଞ୍ଚଭରା ମ୍ୟାଚ୍‌ । ଚଳିତ ଏସିଆ କପରେ ଭାରତ ସର୍ବାଧିକ ଥର ବିଜେତା ଭାବେ ଖେଳିବାକୁ ଆସିଥିବା ବେଳେ ପାକିସ୍ତାନ ଗତ ଟ୍ବେଣ୍ଟି-୨୦ ଫର୍ମାଟରେ ପାଇଥିବା ବିଜୟ ଭଳି ଏଠାରେ ମଧ୍ୟ ଭାରତ ବିପକ୍ଷରେ ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି ।

୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏସିଆ କପ୍‌ ରେ ବର୍ତ୍ତମାନ ସୁଦ୍ଧା ଭାରତ ଦିନିକିଆ ଫର୍ମାଟ୍‌ରେ ୬ ଥର ଏବଂ ଟ୍ବେଣ୍ଟି-୨୦ରେ ଥରେ ବିଜେତା ହୋଇଛି । ପାକିସ୍ତାନ ଦୁଇ ଥର ଦିନିକିଆ ବିଜେତା ହୋଇଛି । ୧୯୮୪, ୧୯୮୮, ୧୯୯୦, ୧୯୯୫, ୨୦୧୦ ଓ ୨୦୧୮ରେ ଭାରତ ଟ୍ରଫି ଟେକିଥିଲା । କିନ୍ତୁ ପାକିସ୍ତାନକୁ ପ୍ରଥମ ବିଜୟ ପାଇଁ ୨୦୦୦ ମସିହା ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା । ଏହାପରେ ଦ୍ବିତୀୟ ଟ୍ରଫି ପାଇଁ ଆହୁରି ୧୨ ବର୍ଷ ଲାଗିଥିଲା ।

ତେବେ ଆଜିର ମ୍ୟାଚରେ ପାକିସ୍ତାନ ଟିମ୍‌ ଉପରେ ଭାରି ପଡ଼ିବ ରୋହିତ ବାହିନୀ । ସମ୍ଭାବ୍ୟ ଭାରତ ଏକାଦଶ : ରୋହିଶ ଶର୍ମା (ଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍‌, ଈଶାନ କିଶନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା,‌ ଯଶପ୍ରୀତ୍‌ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି।

ସମ୍ଭାବ୍ୟ ପାକିସ୍ତାନ ଏକାଦଶ : ଇମାମ ଉଲ୍‌ ହକ୍‌, ଫକର ଜମାନ, ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜୱାନ୍‌, ଆଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍‌, ମହମଦ ନୱାଜ, ହାରିସ ରୌଫ୍‌, ସାହିନ ଶାହ ଆଫ୍ରିଦି, ନସିମ ଶାହ।