ବିଷ ପିଇ ନିରବୀ ଗଲା ପୂରା ପରିବାର

0
68
ବିଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୧୧/୦୯) : ମାତ୍ର ୫ ଦିନରେ ସବୁକିଛି ଓଲଟପାଲଟ ହୋଇଗଲା । ଦେଖୁଦେଖୁ ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର । ନିରବୀ ଗଲେ ପରିବାରର ସମସ୍ତ ସଦସ୍ୟ ।

ଜଣକ ପରେ ଜଣେ କରି ଏକ ପରିବାରର ୪ ସଦସ୍ୟ ଆଗପଛ ହୋଇ ଆରପାରିକୁ ଚାଲିଗଲେ । ରୋଗଗ୍ରସ୍ତ ଘରର ମୁଖିଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ପରିବାରର ୩ ସଦସ୍ୟ ବିଷ ପିଇ ଦେଇଥିଲେ । ଗତକାଲି ବିଷର ଜ୍ୱାଳା ସହି ନ ପାରି ପୁଅଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଛି ମା’ । ବରଗଡ଼ ଜିଲ୍ଲା ସୋହେଲାରେ ଘଟିଥିବା ଏପରି ଏକ ଦୁଃଖଦ ଘଟଣା ଯୋଗୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ମୃତକମାନେ ହେଲେ ବଂଶୀଧର ସାହୁ, ତାଙ୍କ ଭଉଣୀ ସୁବର୍ଣ୍ଣ ମହାଜନ ଓ ସେମାନଙ୍କ ମା’ କୁମୁଦିନି ସାହୁ । ଗତକାଲି ବଂଶୀଧର ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ବୁର୍ଲା ନିଆଯାଉଥିବା ବେଳେ ବାଟରେ ସୁବର୍ଣ୍ଣଙ୍କ ମୃତ୍ୟୁ ଘଟିଥିଲା । ମାତ୍ର ଏଥିରୁ ବର୍ତ୍ତି ଯାଇଥିବା କୁମୁଦିନି ସାହୁଙ୍କ ବିଷ ଜ୍ୱାଳାରେ ଛଟପଟ ହେଉଥିବା ବେଳେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଆଜି ସକାଳେ ସେ ଆଖି ବୁଜିଛନ୍ତି । ଘରର ମୁଖିଆ ଅର୍ଜୁନ ସାହୁ ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ରହିବା ପରେ ଗତ ୬ ତାରିଖରେ ଆଖି ବୁଜିଥିଲେ । ମାତ୍ର ତାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରି ନ ଥିଲେ । ଏହାକୁ ନେଇ କୁମୁଦିନି ଓ ତାଙ୍କ ପୁଅ, ଝିଅ ଗଭୀର ମାନସିକ ଚାପର ବଶବର୍ତ୍ତୀ ହୋଇ ଯାଇଥିଲେ । କୁମୁଦୁନିଙ୍କ ଝିଅ ସୁବର୍ଣ୍ଣ ମହାଜନ ଝାଡ଼ଖଣ୍ଡରେ ବିବାହ କରିଥିବା ବେଳେ ତାଙ୍କର ଏକ ୨ ବର୍ଷର ଶିଶୁ ବି ରହିଛି । ମାତ୍ର ସେ ଗତ କିଛି ବର୍ଷ ହେବ ବାପ ଘରେ ରହି ଆସୁଥିଲେ । ବାପାଙ୍କ ମୃତ୍ୟୁ ତାଙ୍କୁ ବି ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା ।

ଗତକାଲି ଦିନ ପ୍ରାୟ ୧୧ଟା ବେଳେ କୁମୁଦିନି ଓ ତାଙ୍କ ପୁଅ ଝିଅ ଘରେ ବିଷ ପିଇ ଦେଇଥିଲେ । ଘରର କବାଟ ଭିତର ପଟୁ ବନ୍ଦ ଥିଲା । କିଛି ସମୟ ପରେ ସୁବର୍ଣ୍ଣଙ୍କ ଛୋଟ ଝିଅର କାନ୍ଦ ଶୁଣି ପାଖ ପଡ଼ୋଶୀ ସେଠାରେ ପହଞ୍ଚିଥିଲେ । ଏହାପରେ ସେମାନେ ଘରେ ମା’ ପୁଅ, ଝିଅ ଛଟପଟ ହେଉଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ମାତ୍ର ଗତକାଲି ଓ ଆଜି ମଧ୍ୟରେ ମା’ ପୁଅଝିଅ ସମସ୍ତେ ଆଖି ବୁଜିଛନ୍ତି । ଫଳରେ କୁନି ଝିଅଟି ସମ୍ପୂର୍ଣ୍ଣ ବେସାହାରା ହୋଇ ଯାଇଛି ।