ରାଜ୍ୟ ସ୍ତରୀୟ ବକ୍ସିଂ ଚମ୍ପିୟାନସିପରେ ରାୟଗଡାର କମାଲ

0
121

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା-୧୯/୯): ପୁରୀ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଅଣ୍ଡର-୧୭ ବାଳକ ବାଳିକା ରାଜ୍ୟ ସ୍ତରୀୟ ବକ୍ସିଂ ଚମ୍ପିୟାନସିପରେ ପ୍ରଥମ ଥର ଭାଗ ନେଇ ରାୟଗଡା ଜିଲ୍ଲାର ଖେଳାଳିମାନେ କମାଲ କରିଛନ୍ତି | ଦୁଇଟି ରୌପ୍ୟ ଓ ତିନୋଟି କାଂସ୍ୟ ପଦକ ଜିତି ଜିଲ୍ଲାର ନାମକୁ ଗୌରବନ୍ୱିତ କରିଛନ୍ତି |

e3992742-97b6-41e7-913e-d51c2bddc430ଆଜି ସକାଳେ ଖେଳାଳିମାନେ ରାୟଗଡା ପହଂଚି ଥିବା ବେଳେ ରାୟଗଡା ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଗଠନ ପକ୍ଷରୁ ସମସ୍ତଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା | ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା କ୍ରୀଡାଧିକାରୀ ଶେଖ ଅଲିନୁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ହରିହର ପାତ୍ର,ଜି ସି ଡି ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନମିତା ପ୍ରଧାନ, ମାଟିକଣା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶଶୀଭୁଷଣ ପଟ୍ଟନାୟକ, ପି ଇ ଟି ଶିକ୍ଷକ ସୁନୀଲ ମହନ୍ତ, ଧର୍ମେନ୍ଦ୍ର କାଦମ୍ବାଲୁ, ବସନ୍ତ ମହନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଓ କୋଚ ନାଶହରୀ କ୍ରିଷ୍ଣା ଓ ଭବାନୀ ପୁଲାକାଙ୍କୁ ପଦକ ଜିତି ଆସିଥିବାରୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ | ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ବକ୍ସିଂ ଚମ୍ପିୟାନସିପରେ ରାୟଗଡା ଜିଲ୍ଲା ଜିସିଡ଼ି ହାଇସ୍କୁଲର ୫ଜଣ ଛାତ୍ର ଓ ଗୁଡାରି ବ୍ଲକର କଦମ୍ବା ହାଇସ୍କୁଲର ଦୁଇ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ |

ଏହି ପ୍ରତିଯୋଗିତାରେ ୫୦ କେଜି ବର୍ଗରୁ ଆରମ୍ଭ କରି ୬୦କେଜି ବର୍ଗ ମଧ୍ୟରେ ବାଳକଙ୍କ ଏବଂ ୪୨ବର୍ଗରେ ବାଳିକାଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ୬୦କେଜି ବର୍ଗରେ ଆଲେକ୍ସ ହିମିରିକା ଓ ୫୭କେଜି ବର୍ଗରେ ନମେନ୍ଦ୍ର ମାଝୀ ରୌପ୍ୟ ପଦକ ଜିତିଛନ୍ତି | ସେହିପରି ୫୪ କେଜି ବର୍ଗରେ ବିକାଶ ନାୟକ ଓ ୫୦କେଜି ବର୍ଗରେ ବିକାଶ ପୁଲକିଆ ଏବଂ ୪୨କେଜି ବାଳିକା ବର୍ଗରେ ଅପସରା ଶବର କାଂସ୍ୟ ପଦକ ଜିତିଛନ୍ତି |

ରାୟଗଡାରେ ବକ୍ସିଂ ଖେଳ ପାଇଁ ଅଧିକ ପ୍ରୋତ୍ସାହନ ମିଳିଲେ ଆମେ ସ୍ବର୍ଣ୍ଣ ପଦକ ଜିତି ଆସିପାରିବୁ ବୋଲି ଖେଳାଳି ମାନେ ପ୍ରକାଶ କରିଥିବା ବେଳେ ଖେଳାଳିଙ୍କୁ ବକ୍ସିଂ ଅଭ୍ୟାସ ନିମନ୍ତେ ଅଧିକ ଖେଳ ସାମଗ୍ରୀ ଯୋଗାଇବା ପାଇଁ ପି ଇ ଟି ଶିକ୍ଷକ ତଥା କୋଚ ନାଶହରୀ କ୍ରିଷ୍ଣା ପ୍ରକାଶ କରିଛନ୍ତି | ବକ୍ସିଂ ଖେଳରେ ପିଲାଙ୍କ ଆଗ୍ରହ ଦେଖି ଖେଳକୁ ଅଧିକ ପ୍ରୋତ୍ସାହନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବରିହା ପ୍ରକାଶ କରିଛନ୍ତି |