ଭାରତର ଦମ୍‌ଦାର ବିଜୟ; ୬ ୱିକେଟ୍‌ରେ ଅଷ୍ଟ୍ରେଲିଆ ପରାସ୍ତ

1
73
ଭାରତର ଦମ୍‌ଦାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ , (୦୯/୧୦) : ଦିନିକିଆ କ୍ରିକେଟ୍‌ ମହାକୁମ୍ଭ ବିଶ୍ୱକପ୍‌ରେ ଭାରତର ଦମ୍‌ଦାର ବିଜୟ ହୋଇଛି । ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରିଛି ଭାରତ

ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବିରାଟ୍‌ କୋହଲି ଓ କେ.ଏଲ୍‌ ରାହୁଲ୍‌। ବିପର୍ଯ୍ୟୟ ପରେ ଉଭୟ ପାଳିକୁ ସମ୍ଭାଳିଥିଲେ ଓ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ । ଚେନ୍ନାଇର ଏମ୍‌ଏ ଚିଦାମ୍ୱାରମ୍‌ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ୨୦୦ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । ଓପ୍‌ନିଂ କରିବାକୁ ଆସିଥିଲେ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ଓ ଈଶାନ କିଶନ । ହେଲେ ଈଶାନ ଖାତା ଖୋଲି ନପାରି ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ପାଭିଲିୟନ୍‌ ଫେରି ଯାଇଥିଲେ । ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ସେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ତା’ପରେ ଆସିଥିଲେ ବିରାଟ୍‌ କୋହଲି ।

ଦ୍ୱିତୀୟ ଓଭରରେ ବୋଲିଂ କରିବାକୁ ଆସିଥିବା ଜୋଶ ହାଜେଲଉଡ ଭାରତ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ନିଜର ବ୍ୟକ୍ତିଗତ ଭାବେ ପ୍ରଥମ ଓଭରର ତୃତୀୟ ବଲ୍‌ରେ ରୋହିତଙ୍କୁ LBW କରିବା ବେଳେ ଷଷ୍ଠ ବଲ୍‌ରେ ଶ୍ରେୟସ ଆୟରଙ୍କୁ କ୍ୟାଚ୍‌ ଆଉଟ୍‌ କରିଥିଲେ ଜୋଶ ହାଜେଲଉଡ । ଅର୍ଥାତ ଈଶାନଙ୍କ ପରି ରୋହିତ ଓ ଶ୍ରେୟସ ଖାତା ଖୋଲି ନପାରି ଆଉଟ୍‌ ହୋଇଥିଲେ। ମାତ୍ର ୨ ରନ୍‌ରେ ୩ଟି ୱିକେଟ୍‌ ଯାଇଥିଲା ଭାରତ ।

ଶ୍ରେୟସ୍‌ ପରେ ଆସିଥିଲେ କେ.ଏଲ୍‌ ରାହୁଲ୍‌ । କୋହଲି ଓ ରାହୁଲ୍‌ ମିଶି ପାଳିକୁ ସମ୍ଭାଳି ଥିଲେ । ଅଷ୍ଟ୍ରେଲିଆ ବୋଲରଙ୍କୁ କଡା ଯବାବ ଦେଇଥିଲେ । କ୍ରିଜ୍‌ରେ ସେଟ୍‌ ହେବା ପରେ ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ । କୋହଲି ୧୧୬ ବଲ୍‌ରେ ୮୫ ରନ୍‌ କରି ଜୋଶ ହାଜେଲଉଡଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ତା’ପରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ୮ ବଲ୍‌ରେ ୧୧ ରନ୍‌ କରିଥିବା ବେଳେ ରାହୁଲ୍‌ ୧୧୫ ବଲ୍‌ରେ ୯୭ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି । ୪୧.୨ ଓଭରରେ ଭାରତ ବିଜୟୀ ହୋଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁବାହିନୀ । କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଛନ୍ତି ଅଷ୍ଟ୍ରେଲିଆ । ୪୯.୩ ବଲରେ ସମସ୍ତ ୱିକେଟ୍ ହରାଇ ଦଳ ସଂଗ୍ରହ କରିଛି ୧୯୯ ରନ୍ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ କୁଲଦୀପ୍‌ ଦୁଇଟି ଲେଖାଏଁ ନେଇଥିଲେ । ସେହିପରି ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

1 COMMENT

Comments are closed.