କାଜୁ ଜଙ୍ଗଲରୁ ହାତୀର ମୃତଦେହ ଠାବ

1
35
କାଜୁ ଜଙ୍ଗଲରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୬/୧୦) : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଜେନାପଦା ବିଟ୍ ଅଂଶୁପା ରାସ୍ତାର ପେଟ୍ରୋଲ ଟାଙ୍କି ନିକଟ କାଜୁ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି ।

ଦୁଇରୁ ତିନି ଦିନ ତଳୁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ହାତୀଟିର କିପରି ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ହାତୀଟିକୁ କେହି ଶିକାର କରିଛି ନା କୌଣସି ରୋଗକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାସ୍ଥଳରେ ଆଠଗଡ଼ ବନବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ନୟାଗଡ଼ ବିଟ୍‌ ଜଗନ୍ନାଥପୁର ଗ୍ରାମ ନିକଟରେ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ମାଈହାତୀର ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ, ୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ ଟି ହାତୀଙ୍କର ମୃତ୍ୟୁ ଘଟିଛି । ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି । ଗତ ବିଧାନସଭାର ମୌସୁମୀ ଅଧିବେଶନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗୃହରେ ଏହି ତଥ୍ୟ ଦେଇଥିଲେ ।

1 COMMENT

Comments are closed.