ମୁନିଗୁଡା ଫରେଷ୍ଟ ରେଞ୍ଜରେ ମହା ଦୁର୍ନୀତି : ଲୋକାୟୁକ୍ତରେ ଇଣ୍ଟରନାଲ ଭିଜିଲାନ୍ସ ଅଧିକାରୀ

0
70
ମୁନିଗୁଡା ଫରେଷ୍ଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୯/୧୦) : ରାୟଗଡା ଜିଲ୍ଲା ବନଖଣ୍ଡ ମୁନିଗୁଡା ରେଞ୍ଜରେ ମହା ଦୁର୍ନୀତି । ଆମ ଜଙ୍ଗଲ ଯୋଜନାରେ କୋଟିକୋଟି ଟଙ୍କାର ଚଞ୍ଚକତା । ମିଥ୍ୟା ରସିଦ ଓ ନକଲି ବିଲ ଭାଉଚର ଦାଖଲ କରି ଜନହିତକର ଅର୍ଥ ହେରାଫେରି ।WhatsApp Image 2023-10-29 at 09.23.34 (1)

ଲୋକାୟୁକ୍ତରେ ଟିଡିପି ଆସେସିଏଟ ପକ୍ଷରୁ ମାମଲା ରୁଜ୍ଜୁ । ପକ୍ଷ ରଖିବା ପାଇଁ କୋର୍ଟରେ ହାଜର ହେଲେ ବନ ବିଭାଗର ଇଣ୍ଟରନାଲ ଭିଜିଲାନ୍ସ ଟିମର ମୁଖ୍ୟ ଅଧିକାରୀ ନିଳେନ୍ଦ୍ର ନାରାୟଣ ସିଂ । ଅଭିଯୋଗ ମୁତାବକ ୪ଟି ସ୍ଥାନର ତଦନ୍ତ ଶେଷ । ୨୮ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଲୋକାୟୁକ୍ତଙ୍କୁ ଦେଲେ ସୂଚନା । ରାୟଗଡା ବନଖଣ୍ଡ ଅଧିନରେ ଥିବା ମୁନିଗୁଡା ରେଞ୍ଜରେ ସମସ୍ତ ବନିକରଣ ଯୋଜାନରେ ବାଟମାରଣା । ମୁଖ୍ୟତଃ ଆମ ଜଙ୍ଗଲ ଯେଜାନା ଏବଂ କାମ୍ପା କାର୍ଯ୍ୟକ୍ରମରେ ହରିଲୁଟ । ଆସିଷ୍ଟେଡ ନେଚୁରାଲ ରିଜେନେରେସନ(ଏ ଏନ ଆର), ସଏଲ ଆଣ୍ଡ ମଇଶ୍ଚର କନଜେରଭେସନ (ଏସ ଏମ ସି), ଲୁଜ ବୋଲ୍ଡର ଚେକ ଡ୍ୟାମ (ଏଲ ବି ସି ଡି) ଏବଂ ବାଲ୍ଡ ହିଲ ପ୍ଲାଣ୍ଟେସନ ପ୍ରେଗ୍ରାମ (ଲଣ୍ଡା ପାହାଡରେ ବନିକରଣ ଯୋଜନା) ରେ କୋଟିକୋଟି ଟଙ୍କାର ଆତ୍ମସାତ ହୋଇଥିବା ଅଭିଯୋଗକୁ ନେଇ ଟିଡିପି ଆସେସିଏଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ୧୯ଟି ବିଭାଗ ନିକଟରେ ଫେରାଦ ହୋଇଥିଲେ ।

ଏହି ଯୋଜନା ପ୍ରକାରେ ସରକାରଙ୍କ ପ୍ରଦତ୍ତ ସବୁ ନିୟମକୁ ଉଲଙ୍ଘନ କରି ବିଭାଗ ଲୁଣ୍ଠନର ବାଟ ପ୍ରସ୍ତୁତ କରିଥିଲା । ସବୁକାର୍ଯ୍ୟ ବନଖଣ୍ଡ ଅଧିକାରୀ ରେଞ୍ଜରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରିବା ପାଇଁ ମଧ୍ୟ ଉଲ୍ଲେଖ ରହିଛି । କିନ୍ତୁ ବନ ସଂରକ୍ଷଣ ସମିତି(ଭି ଏସ ଏସ) ଗଠନରୁ ହିଁ ଦୁର୍ନୀତିର ଗନ୍ଧ ମିଳିଥିଲା । ମୁନିଗୁଡା ରେଞ୍ଜର ରାଚୁଲି, ହାଡୁଗୁଡା, ରୋଙ୍ଗାଲପାଡୁ ଏବଂ ଜାମୁଯୋଡି ୪ଟି ଗାଁ’ରେ ଭି ଏସ ଏସ ଗଠନରେ ହିଁ ତୃଟି ରହିଛି । ଗୋଟିଏ ବା ଦୁଇଟି ବୈଠକ କରି ୧୩ଟି ବୈଠକ କରାଯାଇଥିବା ଦର୍ଶାଯଇଥିବା, ଜାଲ ଦସ୍ତଖତ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଆମ ଜଙ୍ଗଲ ଯେଜାନା ଏସ ଏମ ସି କାର୍ଯ୍ୟର ଚୁକ୍ତିନାମା, ଭାଉଚର ନାହିଁ କି ସଠିକ ମଷ୍ଟରରୋଲ ମଧ୍ୟ ନଥିବା ଜଣାପଡିଛି । ମାଟି ଅବକ୍ଷୟ ନହେବା ପାଇଁ ଏବଂ ମାଟିର ଆଦ୍ରତା ଧାରଣ କରିବା ପାଇଁ ଖୋଳାଯାଇଥିବା ଟ୍ରେଞ୍ଚ(ଗାତ)ରେ ବି ଦୁର୍ନୀତି ।

ସେହିପରି ଲଣ୍ଡାପାହାଡରେ ବୃକ୍ଷ ରୋପଣ ଆଉଏକ ମହତ ଯୋଜନା । କିନ୍ତୁ ଜାମଯୋଡି ଠାରେ ଏହି ଯୋଜନାକୁ ବିକୃତ କରାଯାଇଥିବା ପରିଲିଖିତ ହୋଇଛି । ଯେଉଁ ପାହାଡରେ ବଡବଡ ପଥର ରହିଛି ସେହି ପାହାଡରେ ବୃକ୍ଷ ରୋପଣ କରିବା ପାଇଁ ନିର୍ଦ୍ଦେଶ ରହିଛି । ବିଡମ୍ବନାର କଥା ଜାମଯୋଡି ଠାରେ ପାହାଡ ଉପରେ ବର୍ଷବର୍ଷ ଧରି ଲାଗିଥିବା ବଡବଡ ଗଛକୁ କାଟି ସେହିଠାରେ ବୃକ୍ଷ ରୋପଣ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶାଳ, ପିଆଶାଳ, ମହୁଲ, ହରିଡା, ତେନ୍ତୁଳି, ଅଁଳା ଭଳି ଦଶବର୍ଷରୁ ଅଧିକ ସମୟ ଧରି ରହିଥିବା ଗଛକୁ କାଟି ଦିଆଯାଇଛି । କେତେକ ସ୍ଥାନରେ ଗଛର ଖୁଣ୍ଟକୁ ପୋଡି ଦିଆଯାଇଥିବା ପରିଲିଖିତ ହୋଇଛି । ପାହାଡ ଉପରକୁ ମାଟି ଖତ ନେଇ ବୃକ୍ଷ ରୋପଣ ବାବଦକୁ ରହିଥିବା ଅର୍ଥକୁ ଆତ୍ମସାତ କରାଯାଇଥିବା ଜାମଯୋଡି ଗାଁର ଲୋକେ କହିଛନ୍ତି ।

ହାଡୁଗୁଡା ଠରେ ମଧ୍ୟ ସମାନ ଦଶା । ମିଥ୍ୟା ଦସ୍ତଖତକୁ ନେଇ କରାଯାଇଛି ଏଠାକାର ଭି ଏସ ଏସ । ସମିତି ପାଖରେ ରେଜିଷ୍ଟର ନାହିଁ କି ବ୍ୟାଙ୍ଗ ଜମାଖାତା ବି ନାହିଁ । ଭିଏସଏସ ସଭାପତି ବା ସଦସ୍ୟ କେବେ ବି ବ୍ୟାଙ୍କଙ୍କୁ ଯାଇନଥିବା କହିଛନ୍ତି । ତଥାପି ୬ଲକ୍ଷ ଟଙ୍କା ପାସବହିରୁ ଉଠାଯାଇଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି । ରେଙ୍ଗଲପାଡୁ ଏବଂ ରାଚୁଲି ବନସୁରକ୍ଷା ସମିତି ଠାରେ ବାବୁମାନେ ସମାନ ବ୍ୟବସ୍ଥା ଆପଣାଇଛନ୍ତି ।

ଜାଲ ଦସ୍ତଖତ ଏବଂ ସଦସ୍ୟଙ୍କ ଅଗୋଚରରେ ଗଠନ କରାଯଇଛି ସମିତି । ରେଙ୍ଗଲପାଡୁ ଏବଂ ରାଚୁଲି ଠରେ ଜମା ଖାତାରାୁ ୬ଲକ୍ଷ ୫୦ହାଜର ଟଙ୍କା ଉଠାଯାଇଥିବା ସମ୍ପର୍କରେ ଗ୍ରାମବାସୀ ଜାଣନ୍ତିନାହିଁ । କ୍ଷେତ୍ରରେ ଫରେଷ୍ଟର, ଗାର୍ଡ ମାନଙ୍କ ଦ୍ୱାରା ଯୋଜନାବଦ୍ଧରୂପେ ବାଟମାରଣାର ଏକ କ୍ଷେତ୍ର ପ୍ରସ୍ତୁତ କରାଯଇଥିବା ଅନୁଭବ ହେଉଛି । ଟିଡିପି ଆସୋସିଏଟ ପକ୍ଷରୁ ଚେୟାରମ୍ୟାନ ଡ.ବାଦଲ କୁମାର ତା, ସଦସ୍ୟ ରବିନ୍ଦ୍ର ପାଟଖଣ୍ଡାଳ ଏବଂ ସଦସ୍ୟ ରଶ୍ଚୀରଞ୍ଜନ ଦୋରାଙ୍କ ଅଭିଯୋଗକୁ ନେଇ ରାଜ୍ୟ ବନ ବିଭାଗ ତଦନ୍ତ ପାଇଁ ନିଜ ବିଭାଗର ଇଣ୍ଟରନାଲ ଭିଜିଲନ୍ସ ଟିମକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପ୍ରକାରେ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟର ନିଳେନ୍ଦ୍ର ନାରାୟଣ ସିଂ ଦଳପତି ତାଙ୍କ ଟିମ ସହ ମୁନିଗୁଡା ରେଞ୍ଜରେ ପହଞ୍ଚିଥିଲେ । ଟିଡିପି ଆସେସିଏଟକୁ ମଧ୍ୟ ଚିଠି କରି ତଦନ୍ତରେ ସାମିଲ କରିଥିଲେ ।

ପର୍ଯ୍ୟାୟକ୍ରମେ ଜାମଯୋଡି, ହାଡୁଗୁଡା, ରାଚୁଲି, ରେଙ୍ଗାଲପାଡୁର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ଏପରିକି ଲାଗିଥିବା ଗଛର ମାନ, କେତେ କିସମର ଗଛ ଲଗାଯାଇଛି, ବିବେଚିତ ହୋଇ ଲାଗିଥିବା ଗଚ୍ଛ ଲଣ୍ଡପାହାଡ କି ନାହିଁ, କେତେ ଗଛ ଲାଗଛି, ଇତ୍ୟାଦି, ଏଭଳି ବିଭିନ୍ନ ଦିଗରୁ ପ୍ରମାଣିକ ରୂପେ ତଥ୍ୟ ସଂଗ୍ରହ କରିଥିଲେ । ଏପରିକି ଲୋକଙ୍କ ଠାରୁ ଲିଖିତ ରୂପେ ମଧ୍ୟ ହୋଇଥିବା ଅଭିଯୋଗକୁ ପ୍ରମାଣ ରୂପେ ସଂଗ୍ରହ କରିଥିଲେ ଯାହାକୁ ନେଇ ଭିଜିଲାନ୍ସ ଟିମ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ୪ଟି ସ୍ଥାନରେ ମୋଟ ୨୭ଲକ୍ଷ ୭୧ ହଜାର ୯ଶହ ୮୬ଟଙ୍କା ଆତ୍ମସାତ ହୋଇଛି ବୋଲି ପ୍ରକାଶ କରିଥିଲେ । ସେମାନଙ୍କଠାରୁ ଏହି ଟଙ୍କା ଆଦାୟ କରିବା ପାଇଁ ଉଲ୍ଲେଖ କରିଥିବା ରିପୋର୍ଟରେ ଜଣାପଡିଛି ।

ଏହି ରିପୋର୍ଟରେ ମୁଖ୍ୟତଃ ମୁନିଗୁଡା ରେଞ୍ଜର ପ୍ରସନ୍ନ କୁମାର ମିଶ୍ରଙ୍କ କାର୍ଯ୍ୟରେ ଅବହେଳାକୁ ଦାୟୀ କରିଥିଲେ । କାର୍ଯ୍ୟ ସମ୍ପାଦନ ବେଳେ ରେଞ୍ଜର କ୍ଷେତ୍ରକୁ ଯାଇନଥିବା ଓ ବିଲ ସବୁକୁ ପାସ କରିଥିବା ଯୋଗୁଁ ଏହି ବ୍ୟତିକ୍ରମ ହୋଇଥିବା ମଧ୍ୟ ଦର୍ଶାଇଥିବା ଜଣାପଡିଛି । ଏପରିକି ତତକାଳୀନ ଡିଏଫଓ ବିଜୟ କୁମାର ପରିଡା ଆମ ଜଙ୍ଗଲ ଯୋଜନା ଓ କାମ୍ପା ଆଦି ଯୋଜାନାର ୮୦ ପ୍ରତିଶତ ଟଙ୍କା କେବଳ ଗୋଟିଏ ମୁନିଗୁଡା ରେଞ୍ଜକୁ ପ୍ରଦାନ କରିବା ଆଉଏକ ବ୍ୟତିକ୍ରମ ବୋଲି ଜଣାପଡିଛି । ଏଥିପାଇଁ ତତକାଳୀନ ଡିଏଫଓଙ୍କୁ ବି ଦାୟୀ କରାଯାଇଛି । ଡି ଏଫ ଓ ମଧ୍ୟ କ୍ଷେତ୍ର ପରିଦର୍ଶନ ନକରି ବିଲ ପାସ କରିଛନ୍ତି । ସେଥିପାଇଁ ଓ ଅନ୍ୟାନ୍ୟ ଦୁର୍ନୀତି ପାଇଁ ଡି ଏଫ ଓ ଙ୍କୁ ସରକାର ସସପେଣ୍ଡ କରିଛନ୍ତି ।

ଏହି ସମସ୍ତ ଘଟଣା ଏବଂ ଇଣ୍ଟରନାଲ ଭିଜିଲାନ୍ସ ଟିମର ରିପୋର୍ଟକୁ ନେଇ ଟିଡିପି ଆସୋସିଏଟର ସଦସ୍ୟ ରବିନ୍ଦ୍ର ପାଟଖଣ୍ଡାଳ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇ ମାମଲା ରୁଜୁ କରିଥିଲେ । ତେବେ ଅଭିଯୋଗ ପ୍ରକାରେ ଇଣ୍ଟରନାଲ ଭିଜିଲନ୍ସ ଟିମର ମୁଖ୍ୟ ନିଳେନ୍ଦ୍ର ନାରାୟଣ ସିଂ ଦଳପତିଙ୍କୁ ଲୋକାୟୁକ୍ତ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଭିତ୍ତିକରି ସେ ନିଜର ପକ୍ଷ ରଖିଛନ୍ତି । ଅଭିଯୋଗ ପ୍ରକାରେ ୪ଟି ସ୍ଥାନର ତଦନ୍ତ ପରେ ୨୮ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ରିପୋର୍ଟ ଲୋକାୟୁକ୍ତ ସମ୍ମୁଖରେ ରଖିଛନ୍ତି ।

ତେବେ ସମସ୍ତ ତଥ୍ୟ ଓ ରିପୋର୍ଟ ରାଜ୍ୟ ବନ ବିଭାଗକୁ ହସ୍ତାନ୍ତର କରଯାଇଥିବା ବେଳେ ପି ସି ସି ଏଫଙ୍କ କାର୍ଯ୍ୟାଳୟ ସବିଶେଷ ରିପୋର୍ଟ ଦାଖଲ କରିପାରିବେ ବୋଲି ଇଣ୍ଟରନାଲ ଭିଜିଲାନ୍ସ ଟିମର ମୁଖ୍ୟ ନିଳେନ୍ଦ୍ର ନାରାୟଣ ସିଂ ଦଳପତି ଲୋକାୟୁକ୍ତ ଆଗରେ ପକ୍ଷ ରଖିଛନ୍ତି । ଯଦି ଚାରି ପ୍ରକଳ୍ପ କ୍ଷେତ୍ରର ଅନୁସନ୍ଧାନ ସାରିବାକୁ ଇଣ୍ଟରନାଲ ଭିଜିଲାନ୍ସ ଟିମକୁ ୧୪ ମାସ ଲାଗିଲା, ତେବେ ୨୮ଟି କ୍ଷେତ୍ର ସଂପୂର୍ଣ୍ଣ କରିବାକୁ ଆଉ ୭ ବର୍ଷ ଲାଗିବ କି ବୋଲି ପ୍ରଶ୍ନ କରିଛନ୍ତି ଡଃ ବାଦଲ ତା । ତେବେ ପି ସି ସି ଏଫଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଅନୁସନ୍ଧାନ ଶେଷକରି ଆସନ୍ତା ଡିସେମ୍ବର ୧୨ ତାରିଖରେ ହାଜର ହେବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।