ଆଜି କଳାହାଣ୍ଡି ବନ୍ଦ, ରାସ୍ତାକୁ ଓହ୍ଲାଇଲା ବିଜେପି

0
44
ଆଜି କଳାହାଣ୍ଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୦୪/୦୧) : ଦୀର୍ଘ ଦିନର ଧାରଣା, ଅଫିସ ଘେରାଉ ସତ୍ତ୍ୱେ ଦାବି ଶୁଣିଲାନି ପ୍ରଶାସନ। ଶେଷରେ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ହିତ ଦୃଷ୍ଟିରୁ ଆଜି ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି। ।

ଦଳ ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଆଜି ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାରେ ମଣ୍ଡିରେ ଚାଷୀ ସମସ୍ୟା, ଧାନ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହି ସବୁ ସମସ୍ୟାର ସମାଧାନ ଦାବିରେ ପୂର୍ବରୁ ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍, ଆର୍ ଆଇ ଅଫିସ ଘେରାଉ କରାଯାଇଥିଲା । ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଆଜି ବନ୍ଦ ପାଳନ କରାଯାଉଥିବା ବିଜେପି କହିଛି ।

ବନ୍ଦ ଯୋଗୁଁ ଆଜି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦୋକାନ ବଜାର ବନ୍ଦ ରହିଛି । ତେବେ ବନ୍ଦରୁ ଜରୁରୀ କାଳୀନ ସେବାକୁ ବାଦ୍ ଦିଆଯାଇଛି । ପ୍ରାଥମିକତା ଭିତ୍ତିରେ ଆମ୍ବୁଲାନ୍ସକୁ ଛାଡ଼ି ଦିଆଯାଉଛି । ଏନେଇ ଜଣେ ବିଜେପି ନେତା କହିଛନ୍ତି, ଧାନ କଟନୀ ଛଟନି ପ୍ରତିବାଦରେ ବ୍ଲକ ଅଫିସ, ଆରଆଇ ଅଫିସ ଘେରାଉ କଲୁ । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୮ ଦିନ ବସିଲୁ । ଏହାପରେ ବି ପ୍ରଶାସନ ଶୁଣିଲାନି । ତେଣୁ ଏହା ପ୍ରତିବାଦରେ ଆମେ ରାସ୍ତାକୁ ଓହ୍ଲାଇଛୁ । ଆମେ ଶାନ୍ତିଶୃଙ୍ଖଳାର ସହ ଅହିଂସା ଉପାୟରେ ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରଖିବୁ ।