କଂଗ୍ରେସ ଦଳରେ ଯୋଗ ଦେବେ ଅନାମ ଦିଆନ— ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

0
49
କଂଗ୍ରେସ ଦଳରେ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୪/ ୧) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ଦଳର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଦଳରେ ଯୋଗ ଦେବେ ଅନାମ ଦିଆନ ।

ଉକ୍ତ ବୈଠକରେ ପୋଲିସ ଚାକିରୀ ରୁ ସ୍ଵେଚ୍ଛାକୃତ ଅବସର ନେଇଥିବା ଶ୍ରୀ ଅନାମ ଦିଆନ ଭାରତୀୟ ଜାତୀୟ କଂଗ୍ରେସ ଦଳରେ ପ୍ରାଥମିକ ସଦସ୍ୟ ହେବା ପାଇଁ କୋଟପାଡ଼ ବ୍ଲକ ସଭାପତିଙ୍କୁ ଆବେଦନ କରିଥିବା ଦରଖାସ୍ତ ବିଷୟରେ କିଛିଦିନ ହେଲା ଚର୍ଚ୍ଚା ଜୋର ଧରିଛି । ଏଥି ପୂର୍ବରୁ ବିଜେଡି ଛାଡି ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ପୂଜାରୀ ମଧ୍ୟ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇ ସାରିଛନ୍ତି । ଶ୍ରୀ ଦିଆନ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ଵ ହେବ କୋଟପାଡ଼ ବ୍ଲକ ର ଢ଼ାମଣାହାଣ୍ଡି ଗ୍ରାମ ଛାଡି ନବରଙ୍ଗପୁର ଠାରେ ସପରିବାର ବସବାସ କରିଆସୁଛନ୍ତି । ଶ୍ରୀ ଦିଆନ ପୋଲିସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ନବରଙ୍ଗପୁର ବିଧାନସଭା ମଣ୍ଡଳୀ ଓ କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଆଶାୟୀ ପ୍ରାର୍ଥୀ ରୂପେ ବିଭିନ୍ନ ଦଳରେ ଲବି କରି ଆସୁଥିବା ବିଷୟ ମଧ୍ୟ ଚର୍ଚ୍ଚା ଚାଲିଛି ।

ଗତ ୪ ମାସ ହେଲା ଶ୍ରୀ ଦିଆନ କୋଟପାଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ସଭାପତି ଓ ବରିଷ୍ଠ କର୍ମୀଙ୍କୁ ଅଣଦେଖା କରି ବିଭିନ୍ନ ବ୍ଲକ ଗସ୍ତ ଆରମ୍ଭ କରିଥିଲେ । ସେହି ସମୟଠାରୁ କଂଗ୍ରେସ ଦଳରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହେଲା । ବିଗତ ଦିନରେ କୋଟପାଡ଼ କଂଗ୍ରେସ ଦଳ ଏକଜୁଟ ହୋଇ ପୌର ନିର୍ବାଚନ ଲଢ଼ିବା ଦ୍ୱାରା ଅଧ୍ୟକ୍ଷ ସହ ୬ଟି ୱାର୍ଡ ସଭ୍ୟ ହାତେଇବାରେ ସମର୍ଥ ହୋଇ ପାରି ଥିଲା, ଏହା ଦ୍ଵାରା କର୍ମୀ ମହଲରେ ଆନନ୍ଦ ଖେଳି ଯିବା ସହ ଆଗାମୀ ଦିନରେ କଂଗ୍ରେସ କିପରି ସୁଦୃଢ ହେବ ଏବଂ ପୂର୍ବ ଗୌରବ ଫେରି ପାଇବ ସେହି ଆଶା ରେ ଅଛନ୍ତି ।

କୋଟପାଡ଼ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀ ମାନେ ଶ୍ରୀ ଦିଆନ ଙ୍କୁ କଂଗ୍ରେସ ଦଳରେ ଯୋଗ ଦେଇ ବିଭିନ୍ନ ବ୍ଲକ ବୁଲନ୍ତୁ ବୋଲି ବାରମ୍ବାର ପରାମର୍ଶ ଦେବାରୁ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶ୍ରୀ ଦିଆନ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପାଇଁ ଆବେଦନ କରିଥିବାର ଜଣାଯାଇଛି । କୋଟପାଡ଼ ବ୍ଲକ, କୁନ୍ଦ୍ରା ବ୍ଲକ, ବୋରିଗୁମ୍ମା ବ୍ଲକ ର ୧୧ ଗୋଟି ପଞ୍ଚାୟତ ଓ ବୈପାରୀଗୁଡା ବ୍ଲକର ୨ ଗୋଟି ପଞ୍ଚାୟତକୁ ନେଇ କୋଟପାଡ଼ ନିର୍ବାଚନ ମଣ୍ଡଳୀ ଗଠିତ । ବିଗତ ନିର୍ବାଚନ ଭଳି ଏଥର ୨୦୨୪ ନିର୍ବାଚନରେ ଯେ କୌଣସି ଦଳ ଅନ୍ୟ ନିର୍ବାଚନ ମଣ୍ଡଳୀ କିମ୍ବା ଅନ୍ୟ ଜିଲ୍ଲା ରୁ ବିଧାୟକ ପ୍ରାର୍ଥୀ ଚୟନ କରନ୍ତି ତାହାହେଲେ ପରାଜୟ ସୁନିଶ୍ଚିତ ବୋଲି ରାଜନୀତି ବିଶାରଦ ମାନେ ଅଙ୍କ କସା ଆରମ୍ଭ କରିଥିବା ଜଣାଯାଇଛି ।

ଏ ସମ୍ପର୍କ ରେ କୋଟପାଡ଼ କଂଗ୍ରେସ ବ୍ଲକ ସଭା ପତି ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଯୋଗା ଯୋଗ କରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଶ୍ରୀଯୁକ୍ତ ଦିଆନ ତାଙ୍କୁ ସିଧାସଳଖ ସାକ୍ଷାତ କରି ଦରଖାସ୍ତ ଦେଇନାହାନ୍ତି । ଅନ୍ୟ କର୍ମକର୍ତ୍ତାଙ୍କ ମାଧ୍ଯମରେ ପ୍ରଦାନ କରିଛନ୍ତି । ତଥାପି ସମସ୍ତ ମନାନ୍ତର, ମତାନ୍ତରକୁ ଛାଡି ଏକଜୁଟ ହୋଇ ଦଳୀୟ ପ୍ରାର୍ଥିଙ୍କୁ ବିଜୟୀ କରିବାକୁ ହେବ ବୋଲି ଗଣ ମାଧ୍ୟମ କୁ ସେ ସୂଚନା ଦେଇ ଥିବାର ଜଣାଯାଇଛି I