ଧରା ପଡ଼ିଲେ ନକଲି ଶିକ୍ଷକ, ବହିଷ୍କାର କଲେ ବିଇଓ

0
42
ଧରା ପଡ଼ିଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୨୮/୦୧) : ବଲାଙ୍ଗୀର ଜିଲ୍ଲାରୁ ନକଲି ଶିକ୍ଷକ ଧରାପଡ଼ିବାର ଧାରା ଜାରି ରହିଛି । ଜାଲ ସାର୍ଟିଫିକେଟର କାରଖାନା ବଲାଙ୍ଗିରରୁ ବାହାରିବ ପରେ ସାର୍ଟିଫିକେଟ ଯାଞ୍ଚକୁ ଜୋରଦାର କରାଯାଇଛି ।

ଧରା ପଡ଼ିଲେ ନକଲି ଶିକ୍ଷକ । ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଆଗରୁ ଅନେକ ଶିକ୍ଷକ ଚାକିରିରୁ ବହିଷ୍କାର ହେଇସାରିଛନ୍ତି । ଏବେ ପୁଣି ଜଣେ ଶିକ୍ଷକଙ୍କ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ କୁମାର ମନ୍ତ୍ରୀ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଶିକ୍ଷା ବିଭାଗ ତାଙ୍କ ଟିଚର ଟ୍ରେନିଂ ସାର୍ଟିଫିକେଟକୁ ଯାଞ୍ଚ ପାଇଁ ପଠାଇଥିଲା ।

ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ମାଧ୍ୟମକି ଶିକ୍ଷା ପରିଷଦ ଏନେଇ ଶିକ୍ଷା ବିଭାଗକୁ ଜଣାଇଥିଲା । ଏହା ପରେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୁକାନ୍ତ କୁମାର ମନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ତା’ ସହିତ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଭାବେ ତାଙ୍କ ନାଁରେ ଅଭିଯୋଗ ଦାଖଲ କରିଛନ୍ତି । ନକଲି ଶିକ୍ଷକ ଜଣକ ଫେରାର ଥିବା ଜଣାପଡ଼ିଛି ।