ବାପାର ବର୍ବର କାଣ୍ଡ: ୫ ମାସର ପୁଅକୁ କଚାଡ଼ି ମାରି ଦେଲା

0
60
ବାପାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୧୧/୦୨) : ବାପାର ବର୍ବର କାଣ୍ଡ ! ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁ’ରେ ଜଣେ ବ୍ୟକ୍ତି ତାଙ୍କ ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି ।

୫ ମାସର ପୁଅକୁ କଚାଡ଼ି ମାରି ଦେଲା ବାପା । ଅଭିଯୁକ୍ତଙ୍କ ନାଁ ହେମନ୍ତ ଭୁଏ । ଗତକାଲି ରାତିରେ ସେ ଘରକୁ ଫେରିବା ପରେ ସ୍ତ୍ରୀଙ୍କୁ ଗାଳି କରିଥିଲେ । ସ୍ତ୍ରୀ ଟଙ୍କା ନଦେବାରୁ ସେ ଗାଳି କରିଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଚାଲିଥିବା ବେଳେ ରାଗ ତମ ତମ ହୋଇ ହେମନ୍ତ ତାଙ୍କର ୫ ମାସର ଶିଶୁପୁତ୍ରକୁ ଟାଣି ନେଇ ତଳେ କଚାଡ଼ି ଦେଇଥିଲେ। ଘଟଣାସ୍ଥଳରେ ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିଲା ।

ଗାଁ ଲୋକଙ୍କଠାରୁ ଘଟଣା ସଂପର୍କରେ ସୂଚନା ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା । ପୁଲିସ୍ ହେମନ୍ତ ଭୁଏଙ୍କୁ ଥାନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି । ଘଟଣା ଘଟିବା ସମୟରେ ହେମନ୍ତ ଭୁଏ ମଦ ପିଇଥିଲେ ବୋଲି କୁହାଯାଉଛି । ଦୁଇ ଦିନ ତଳେ ବଲାଙ୍ଗିର ଖଲିଆପାଲିରେ ଜଣେ ମହିଳା ତାଙ୍କ ୬ ମାସର ପୁଅର ତଣ୍ଟି କାଟି ଦେଇଥିଲେ । ସ୍ୱାମୀଙ୍କ ପରକୀୟା ସଂପର୍କରେ ଅତିଷ୍ଠ ହୋଇ ସେ ତାଙ୍କ ଛୁଆକୁ ମାରି ଦେଇଥିଲେ ବୋଲି କହିଥିଲେ ।