ମୁସଲିମ ବିବାହ ଓ ଛାଡପତ୍ର ଆଇନ୍‌ ରଦ୍ଦ

0
82
ମୁସଲିମ ବିବାହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଆସାମ, (୨୪/୦୨) : ଆସାମରେ ୟୁନିଫର୍ମ ସିଭିଲ କୋଡ୍‌ ତଥା ୟୁସିସିକୁ ନେଇ ଆଉ ପାଦେ ଆଗେଇଛନ୍ତି ସରକାର । ମୁସଲିମ ବିବାହ ଓ ଛାଡପତ୍ରକୁ ନେଇ ରହିଥିବା ୮୯ ବର୍ଷ ପୁରୁଣା ଆଇନକୁ ରଦ୍ଦ କରାଯାଇଛି ।

ଶୁକ୍ରବାର ରାତିରେ ଏହି ଆଇନକୁ ରଦ୍ଦ କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ବୈଠକ ପରେ ଆସାମ ମନ୍ତ୍ରୀ ଜୟନ୍ତ ବରୁଆ ଏହାକୁ ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଏକ ବଡ ପଦକ୍ଷେପ ବୋଲି କହିଛନ୍ତି । ସେ କହିଛନ୍ତି, ‘ଆମ ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି ଯେ ଆସାମରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରାଯିବ । ଏହା ଅନ୍ତର୍ଗତ ଆମେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ଆଇନକୁ ରଦ୍ଦ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ।

ଏବେ ମୁସଲିମ ବିବାହ ଓ ଛାଡପତ୍ର ସମ୍ପର୍କିତ ସମସ୍ତ ମାମଲା ସ୍ୱତନ୍ତ୍ର ମ୍ୟାରେଜ ଆକ୍ଟ ଅନୁଯାୟୀ ହେବ । ଏବେ ଆକ୍ଟ ଅନୁଯାୟୀ କୌଣସି ମୁସଲିମ ବିବାହ କିମ୍ବା ଛାଡପତ୍ର ପଞ୍ଜିକରଣ ହେବ ନାହିଁ ।’ ସେ ଆହୁରି କହିଛନ୍ତି, ‘ମୁସଲିମ ବିବାହ ଓ ଛାଡପତ୍ର ସମ୍ପର୍କିତ ମାମଲା ପଞ୍ଜିକରଣ ପାଇଁ ଜିଲ୍ଲା ଆୟୁକ୍ତ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଦାୟିତ୍ୱ ଦିଆଯିବ । ମୁସଲିମ ବିବାହ ଛାଡପତ୍ର ଅଧିନିୟମ ଅନୁଯାୟୀ କାମ କରୁଥିବା ୯୪ ମୁସଲିମ ରେଜିଷ୍ଟ୍ରାର୍‌ଙ୍କୁ ପଦରୁ ହଟାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବା ସହ କାର୍ଯ୍ୟରୁ ମୁକ୍ତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋଶାଲ ମିଡିଆ ପୋଷ୍ଟରେ କହିଛନ୍ତି, ଆସାମ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟରେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ଆଇନ ୧୯୩୦କୁ ପ୍ରତ୍ୟାହାର କରିନେଇଛି । ଆଇନ୍ ଅନୁଯାୟୀ ବର ଏବଂ କନ୍ୟାଙ୍କର ଆଇନଗତ ବୟସ ୧୮ ଏବଂ ୨୧ ନଥିଲେ ମଧ୍ୟ ପୁରୁଣା ବ୍ୟବସ୍ଥାରେ ବିବାହ ପଞ୍ଜିକରଣକୁ ଅନୁମତି ଦେଇଥିବା ବ୍ୟବସ୍ଥା ଅନ୍ତର୍ଭୁକ୍ତ ଥିଲା । ଆସାମରେ ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଲଗାଇବା ଦିଗରେ ଏହି ନିଷ୍ପତ୍ତି ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।