ଭିଜିଲାନ୍ସ ଜାଲରେ ଅମିନ

0
55
ଭିଜିଲାନ୍ସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୫/୦୩) : ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ଅଫିସର ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁ ।

ଏକ ନାମଜାରି (ମ୍ୟୁଟେସନ) ମାମଲାରେ ଆର୍‌ଓର (ଜମି ପଟ୍ଟା) ଦେବା ପାଇଁ ଡୁଡୁକା ଗାଁ’ର ରବୀନ୍ଦ୍ର ପଟେଲଙ୍କୁ ଅମିନ ସଦାନନ୍ଦ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ରବୀନ୍ଦ୍ର ପଟେଲ ବଲାଙ୍ଗିର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଅଫିସରେ ଅମିନ ସଦାନନ୍ଦ ସାହୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି । ଏହି ଘଟଣାରେ ଭିଜିଲାନ୍ସ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଗତ ମାସ ୨୧ ତାରିଖରେ ମୁରିବାହାଲ ତହସିଲର ଅମିନ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ।