ଆଜି ବିଶ୍ୱ ପଖାଳ ଦିବସ

0
30
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୦/୦୩) : ଆଜି ବିଶ୍ୱ ପଖାଳ ଦିବସ । କୃଷିପ୍ରଧାନ ରାଜ୍ୟ ଓଡ଼ିଶା । ଆଉ ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆଙ୍କ ସବୁ ଖାଦ୍ୟ ଭିତରେ ପଖାଳର ସ୍ଥାନ ସ୍ବତନ୍ତ୍ର ।

ସାଉଥ୍ ଇଣ୍ଡିଆନ କହିଲେ ଯେମିତି ଇଡଲି, ସମ୍ବର, ଚାରୁପାଣି ନ ହେଲେ ଦୋଷା ଆମ ମନକୁ ଆସିଯାଏ, ସେମିତି ଓଡ଼ିଆ କହିଲେ ଯେଉଁ ପ୍ରଥମ ଖାଦ୍ୟଟି ଆମ ମନକୁ ଆସେ, ତାହା ହେଲା ପଖାଳ । ଅନେକ ସମୟରେ ଆମ ଭିତରେ ଅନେକ କହୁ, ପଖାଳଖିଆ ଓଡ଼ିଆ । ପ୍ରତିଟି ଓଡ଼ିଆ ପାଇଁ ଏହା ହିଁ ମୁଖ୍ୟ ପରିଚୟ ଯାହା ପାଇଁ ଓଡ଼ିଆ ଲୋକ ଗର୍ବ କରନ୍ତି । ସେଥିପାଇଁ ତ ଖଟିଖିଆର ଭାତହାଣ୍ଡିରୁ ଆରମ୍ଭ କରି ସୌଖିନ ହୋଟେଲ ପର୍ଯ୍ୟନ୍ତ, ସବୁଠି ରହିଛି ଏହାର ଚାହିଦା । ଟେଷ୍ଟିଂ ପାଇଁ ପଖାଳ ସହ ଏକାଧିକ ରୁଚିପୂର୍ଣ୍ଣ ଉପାଦାନ ଯୋଡ଼ାଯାଇଥିଲେ ମଧ୍ୟ କେବେହେଲେ ପଖାଳ ତାର ମୌଳିକତା ହରାଇନି ।

ଆଉ ଏହି ପାରମ୍ପରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ମାନେ ଆଜିର ଦିନକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । କେହିକେହି ହୁଏତ ଯୁକ୍ତି ବାଢ଼ନ୍ତି ଯେ ଖରାଦିନ ଆସିଗଲେ ଓଡ଼ିଆଙ୍କ ଘରେଘରେ ଖୋଜାପଡ଼େ ଏହି ସହଜିଆ ଆଉ ଅଳ୍ପ ଖର୍ଚ୍ଚରେ ତିଆରି ଖାଦ୍ୟଟି । ହେଲେ ଆମେ ସମସ୍ତେ ଜାଣନ୍ତି, ଓଡ଼ିଆଙ୍କ ଘରେ ବର୍ଷକ ବାରମାସ ପଖାଳ ହିଁ ଖିଆଯାଏ । ଏ ଖାଦ୍ୟ ଆମକୁ ବଳ ଦିଏ, ଶାନ୍ତି ଦିଏ ।

ପଖାଳ କଂସାଏ ସାଙ୍ଗକୁ ବାଇଗଣ ପୋଡ଼ା, ଆଳୁଭର୍ତ୍ତା, ବଡ଼ିଚୁରା କିମ୍ବା ମାଛଭଜା ହୋଇଗଲେ କଥା ନିଆରା । କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ, ତା ଆଜିକାଲିର କୌଣସି ଫାଷ୍ଟଫୁଡରେ ସତରେ କେବେ ବି ମିଳିବ ନାହିଁ । ଆଉ ଏପଟେ ଦେଖନ୍ତୁ ୨୦୨୦ରେ ନିଜ ପଖାଳ ଭିଡିଓ ସେୟାର କରି ୟୁଟୁବ ଚାନେଲ ଆରମ୍ଭ କରିଥିଲେ ସମ୍ବଲପୁର ବାବୁପାଲି ଗାଁର ଇଶାକ ମୁଣ୍ଡା । ଯାହା ଖୁବ ଭାଇରାଲ ହୋଇଥିଲା । ବିଶ୍ବ ଦରବାରରେ ପଖାଳକୁ ମିଳିଥିଲା ସ୍ବତନ୍ତ୍ର ପରିଚୟ । ଦେଶ ବିଦେଶ ସବୁଠି ଲୋକେ ଜାଣିଲେ ପଖାଳ କଣ । ଆଉ ଇସାକଙ୍କ ଏହି ପଖାଳ ଭିଡିଓ ଦେଖି ୧୦୨୧ ଜୁଲାଇ ୨୫ ରେ ମନ କି ବାତରେ ତାଙ୍କର ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓଡ଼ିଆଙ୍କ ଏହି ମୁଖ୍ୟ ଖାଦ୍ୟଟି ଭାରତର ଅନ୍ୟ କିଛି ରାଜ୍ୟରେ ମଧ୍ୟ ସାମୟିକ ଭାବେ ଖିଆଯାଏ । ଯେମିତିକି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ, ଛତିଶଗଡ଼ ଓ ତାମିଲନାଡ଼ୁ । ଏମିତିକି ମିଆଁମାର ଓ ନେପାଳରେ ମଧ୍ୟ ଲୋକେ ପଖାଳ ଖାଆନ୍ତି ବୋଲି ଶୁଣାଯାଏ । ସବୁଦୃଷ୍ଟିରୁ ପଖାଳ ମଧ୍ୟ ଦେହ ପ୍ରତି ସ୍ବାସ୍ଥ୍ୟପ୍ରଦ । ପାଶ୍ଚାତ୍ୟମୁଖୀ ହୋଇ ଓଡ଼ିଆମାନେ ନିଜର ସଂସ୍କୃତି, ପରମ୍ପରା ଓ ଖାଦ୍ୟକୁ ଭୁଲିଯାଉଥିବା ବେଳେ ପଖାଳକୁ କିନ୍ତୁ କେବେ ଭୁଲି ନାହାନ୍ତି । ପଖାଳର ଇତିହାସ ଓଡ଼ିଆ ଜାତିର ଇତିହାସ ସାଙ୍ଗରେ ସମାନ ।

ଯଦିଓ ଏହାର ନିର୍ଦ୍ଦିଷ୍ଟ ସମୟସୀମା କେଉଁଠି ଲିପିବଦ୍ଧ ହୋଇନାହିଁ, କିନ୍ତୁ ଓଡ଼ିଆଙ୍କ ଇଷ୍ଟଦେବତା ମହପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ ହେଉଥିବାରୁ ଏହାର ବୟସ ବେଶ ପୁରୁଣା ବୋଲି ଧରିନେବାକୁ ହେବ । ବଡ଼ ସିଂହାର ବେଶରେ ପଖାଳ ଖାଇ ନିଦ୍ରା ଯାଇଥାନ୍ତି ମହାପ୍ରଭୁ। ଆଉ ସମସ୍ତଙ୍କ ପ୍ରିୟ ଟଙ୍କ ତୋରାଣି ତ ସେହି ପଖାଳର ତୋରାଣିରୁ ତିଆରି ।