ଦିଶୁନି ମୁହଁକୁ ମୁହଁ, ଟ୍ୱିନ୍ ସିଟିରେ ଘନ କୁହୁଡ଼ି

0
41
ଦିଶୁନି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୩) : ରାଜଧାନୀରେ ଘନ କୁହୁଡ଼ି । ଆଜି ବଡ଼ି ଭୋରରୁ ଟ୍ୱିନ ସିଟିରେ ସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି ।

ଦିଶୁନି ମୁହଁକୁ ମୁହଁ, ଟ୍ୱିନ୍ ସିଟିରେ ଘନ କୁହୁଡ଼ି । ଏଥିଯୋଗୁଁ ସାଧାରଣ ଜୀବନଯାତ୍ରା ଦୀର୍ଘ ସମୟ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି । ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି । ଏତେ କୁହୁଡି ଯେ, ମୁହଁକୁ ମୁହଁ ଦିଶୁନାହିଁ। ୧୦ ମିଟର ଦୂରତାରୁ ମଧ୍ୟ ମୁହଁ ଦିଶୁନି । ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ସାଧାରଣ ଜନଜୀବନ ମଧ୍ୟ ବ୍ୟାଘାତ ହୋଇଛି।ସୂଚନାଯୋଗ୍ୟ, ଗତ ୨ରୁ ୩ ଦିନ ହେଲା ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଥିଲା ।

ଆଜିଠୁ ପାଗର ପରିବର୍ତ୍ତନ ହେବ । ରାଜ୍ୟରେ ତାତି ବଢ଼ିବ । ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ । ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।କାଳବୈଶାଖୀ ଯୋଗୁ ଖସିଥିବା ତାପମାତ୍ରା ପୁଣି ଉପରକୁ ଉଠିବ । ଫଳରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ । ଗତକାଲି ରାଜ୍ୟର ୧୨ଟି ସହରର ସର୍ବାଧିକ ଦିନ ତାପମାତ୍ରା ୨୨ଡିଗ୍ରୀ ବା ଏହା ତଳେ ରହିଥିଲା ।