ଡକାୟତି ଯୋଜନା ବେଳେ ଚଢ଼ଉ କଲା ପୁଲିସ୍‌, ଫାୟାରିଂ କରି ଚମ୍ପଟ ମାରିଲେ

0
49
ଡକାୟତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୪/୦୩) : ଡକାୟତି ଯୋଜନା କରୁଥିବା ବେଳେ ଚଢ଼ଉ କରିଥିଲା ପୁଲିସ୍‌। ଆଉ ପୁଲିସ୍‌କୁ ଦେଖି ଫାୟାରିଂ କରିଥିଲେ ଡକାୟତି ଗ୍ୟାଙ୍ଗ । ତା’ପରେ ଚମ୍ପଟ ମାରିଥିଲେ ଡକାୟତ ।

ତେବେ ପୁଲିସ୍‌ ଗୋଡ଼ାଇ ଗୋଡ଼ାଇ ସେମାନଙ୍କ ଭିତରୁ ୩ ଜଣଙ୍କୁ ଧରିଥିଲେ । ଏପରି ଖବର ଢେଙ୍କାନାଳ ଜିଲ୍ଲାରୁ ଆସିଛି । ଶୁକ୍ରବାର ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଜିରିଡାମାଳି ଗାଁ ନିକଟସ୍ଥ ସୁଧାକର ତଇଲା ଜଙ୍ଗଲରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ ବସି ଲୁଟ୍‌ ପାଇଁ ରଣନୀତି କରୁଥିଲେ । ସେହି ସମୟରେ ପାଟ୍ରୋଲିଂ କରୁଥିବା ପୁଲିସ୍‌ର ନଜର ସେମାନଙ୍କ ଉପରେ ପଡ଼ିଥିଲା । ପୁଲିସ୍‌ ଏସ୍‌ଆଇ ସୌମ୍ୟରଞ୍ଜନ ମହାନ୍ତିଙ୍କ ନେତୃତ୍ୱ ଏକ ଟିମ୍‌ ସେହି ଜଙ୍ଗଲରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ପୁଲିସ୍‌ ଉପରେ ୪ ରାଉଣ୍ଡ ଫାୟାରିଂ କରିଥିଲେ ଡକୟତି ଗ୍ୟାଙ୍ଗ । ପରେ ଡକୟତମାନେ ପଳାଇଯାଇଥିଲେ ।

ପୁଲିସ ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ ଧରିଥିଲା । ସେମାନଙ୍କଠାରୁ ୨ଟି ସ୍କୁଟି, ଗୋଟିଏ ବାଇକ୍‌, ୫ଟି ହାତ ତିଆରି ଅଫୁଟା ବୋମା, ଗୋଟିଏ ଖଣ୍ଡା ଓ ଭୁଜାଲି ଜବତ କରିଛି ପୁଲିସ୍‌ । ଗିରଫ ଅଭିଯୁକ୍ତମାନେ ହେଲେ କାମାକ୍ଷାନଗର ଥାନା ବାଲିଚତୁରୀ ଗାଁର ରଜନୀକାନ୍ତ ମଲ୍ଲିକ ଓ ରଞ୍ଜିତ ମଲ୍ଲିକ ଏବଂ ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳର ରାକେଶ ପାତ୍ର । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।