DRDOରୁ ଗୋପନୀୟ ତଥ୍ୟ ଲିକ୍‌ ମାମଲା : ରହସ୍ୟମୟୀ ମହିଳାଙ୍କ ହନିଟ୍ରାପ

0
163

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୩/୦୯) : ଚାନ୍ଦିପୁର DRDOରୁ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୁଲିସ ସେପ୍ଟେମ୍ୱର ୧୮ ତାରିଖରେ ଆଇଟିଆର୍‌ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା । ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ ।

DRDOରୁ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ଗିରଫ ୫ ଜଣଙ୍କଠାରୁ ଆଜି ମିଳିଛି ଏପରି ସାଂଘାତିକ ତଥ୍ୟ । ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଜେରା କରୁଥିବା ବେଳେ ହାତରେ ଲାଗିଛି ଏପରି ଚାଞ୍ଚଲ୍ୟକର ତଥ୍ୟ । ସମସ୍ତ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ହନିଟ୍ରାପ୍‌ରେ ପକାଇ ତଥ୍ୟ ହାସଲ କରୁଥିଲେ ରହସ୍ୟମୟୀ ମହିଳାଜଣକ ।

“HI” କହି ସମ୍ପର୍କ ଆରମ୍ଭ କରୁଥିବା ରହସ୍ୟମୟୀ ମହିଳା ଲଭ୍‌ ୟୁ କହି ଫୋନ୍‌ କରୁଥିଲେ । ଏପରିକି ବିବାହ ଅଫର ବି ଦେଉଥିଲେ । ଏପରି ଭାବେ ହନିଟ୍ରାପ୍‌ରେ ଫସାଇ ଚାନ୍ଦିପୁର DRDOର ୫ କର୍ମଚାରୀଙ୍କଠାରୁ ପ୍ରାୟ ଦେଢ ବର୍ଷ ଧରି ଓଗାରିଥିଲେ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ ।
ଘଟଣାର ଗୁରୁତ୍ୱ ଦେଖି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ କରୁ କରୁ ଆଇଟିଆର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା । ସେ ହେଉଛନ୍ତି ଉତ୍ତରପ୍ରଦେଶର ସଚିନ କୁମାର ଓରଫ ଛତା । ସେ ଆଇଟିଆରରେ ଡ୍ରାଇଭର ଭାବେ କାମ କରୁଥିଲେ ।

ସୂଚନା ଅନୁଯାୟୀ, DRDOରୁ ଗିରଫ ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ କଥା ହେଉଥିଲେ ରହସ୍ୟମୟୀ । ମହିଳାଜଣକ କାହାକୁ ବ୍ରିଟେନ ଲିଭରପୁଲରେ ରହୁଥିବା କହୁଥିଲେ ତ କାହାକୁ ରାଜସ୍ଥାନରେ ରହୁଛି ବୋଲି କହୁଥିଲେ । ସେହିପରି କାହାକୁ ଡିଫେନ୍ସ ଷ୍ଟାଫ୍ ତ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା କହୁଥିଲା । ହେଲେ ମିଜାଇଲ ଉପରେ ନିଜର ଆଗ୍ରହ ଥିବା ସମସ୍ତଙ୍କୁ କହୁଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ଗିରଫ ୫ ଜଣଙ୍କ ମଧ୍ୟରୁ କାହାକୁ ବି ପରସ୍ପର ସମ୍ପର୍କରେ ଖବର ମିଳି ନ ଥିଲା ।

ରହସ୍ୟମୟୀ ମହିଳାଜଣକ ଭିଡିଓ କଲ୍, ଫେସବୁକ୍ କଲ୍ ଓ ମେସେଜ୍, ମେସେଞ୍ଜର ଜରିଆରେ କଲ୍ କରୁଥିଲେ । ଅଭିଯୁକ୍ତଙ୍କ ସହ ଇଂଲିଶ ଓ ହିନ୍ଦୀରେ କଥା ହେଉଥିଲେ । ଏମିତିକି କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ବି ଦେଇଥିଲେ । ସମ୍ପୃକ୍ତ ମହିଳାଙ୍କ ଦୁବାଇ ଆକାଉଣ୍ଟରୁ ଜଣଙ୍କ ଆକାଉଣ୍ଟକୁ ୩୮ ହଜାର ଟଙ୍କା ଆସିଛି । ହେଲେ ଦୀର୍ଘ ଦେଢ ବର୍ଷ ଧରି କେଉଁ ମାଧ୍ୟମ ଦେଇ ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ତାହାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।

ଏହି ରହସ୍ୟମୟୀ ମହିଳା ଜଣେ ନା ଅନେକ ତାହା ସନ୍ଦେହଘେରରେ । ସେ ବିଦେଶରେ ନା ଦେଶରେ ରହି ଏପରି ସାଂଘାତିକ ଜାଲ ବିଛାଇଥିଲେ ତାହାର ଖୋଳତାଡ଼ ଚାଲିଛି । ମହିଳାଜଣକ ନିଜ କାହା ପାଇଁ ଏପରି ତଥ୍ୟ ସଂଗ୍ରହ କରୁଥିଲେ, ତାଙ୍କ ପଛରେ ଆଉ କିଏ ଅଛି ସବୁ ଦିଗକୁ ତର୍ଜମା କରୁଛି କ୍ରାଇମବ୍ରାଞ୍ଚ ।

ରହସ୍ୟମୟୀ ମହିଳାଙ୍କ ୟୁକେ ନମ୍ବର ଠାବ ପାଇଁ କ୍ରାଇମବ୍ରାଞ୍ଚର ପ୍ରଚେଷ୍ଟା ଜାରି ରଖିଛି । କେନ୍ଦ୍ରୀୟ ଏଜେନ୍ସି ଜରିଆରେ ୟୁକେ ଅଥରିଟିଙ୍କ ସହ ଯୋଗାଯୋଗ ନିମନ୍ତେ ଚେଷ୍ଟା କରାଯାଉଛି । ରହସ୍ୟମୟୀ ହାତରେ ମାନବ ବିହୀନ ବିମାନ ତଥ୍ୟ ଲାଗିଛି କି ନାହିଁ ତାହାର ତନାଘନା ଆରମ୍ଭ ହୋଇଛି । ସେନେଇ ଅଭିଯୁକ୍ତମାନଙ୍କୁ ଏୟାରଫୋର୍ସ ଅଧିକାରୀ ଜେରା କରୁଥିବା ଜଣାଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ଅଭିଯୁକ୍ତମାନଙ୍କୁ ଏନ୍‌ଆଇଏ, ଏୟାରଫୋର୍ସ ଟିମ୍‌ ସଦସ୍ୟ ଜେରା କରୁଛନ୍ତି । ପୁଣି ଥରେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ।

ଆଜି ବାୟୁସେନାର ୨ ଜଣିଆ ଟିମ୍ ଓ ଏନ୍‌ଆଇଏ ଟିମ୍‌ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅଭିଯୁକ୍ତମାନଙ୍କୁ ଜେରା କରୁଛନ୍ତି । ସେମାନଙ୍କଠୁ ଜବତ ହୋଇଥିବା ମୋବାଇଲ ଫୋନ୍ ଫୋରେନ୍ସିକ୍ ଲ୍ୟାବକୁ ପଠାଯିବ । ଜବତ ଟଙ୍କାର ମଧ୍ୟ ଖୋଳତାଡ଼ କରୁଛନ୍ତି ଏୟାରଫୋର୍ସ ଅଧିକାରୀ ।