ପାରିବାରିକ କଳହର ଉଗ୍ର ରୂପ; ୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ମହିଳା

0
31
ପାରିବାରିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୬/୦୪) : ପତିପତ୍ନୀଙ୍କ କଳହ ନେଲା ଉଗ୍ର ରୂପ । ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ମହିଳା ଜଣକ ୯ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ।

ଏହାଦେଖି ସ୍ୱାମୀ ଜଣକ ବି ନଦୀକୁ ଡେଇଁ ପଡ଼ିଲେ । ବାପା, ମା’ ଝିଅ ମଝି ନଦୀରେ ଉବୁଟୁବୁ ହେଉଥିବା ବେଳେ ସ୍ଥାନୀୟ ଲୋକେ ସାଜିଲେ ଦେବଦୂତ । ସେମାନେ ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ଏପରି ଏକ ଲୋମଟାଙ୍କୁରା ଘଟଣା ଆଜି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଘଟିଛି । ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁ’ର ଯୁବକଜଣକ ନିଜ ପତ୍ନୀ ଓ କୁନି ଝିଅ ସହ ଶ୍ୱଶୁର ଘର ନିକଟସ୍ଥ ଡାଳିକାଏନ୍ଦା ଗାଁକୁ ଯାଇଥିଲେ । ସେଠାରୁ ଆଜି ସମସ୍ତେ ନିଜ ଗାଁକୁ ଅଟୋ ଯୋଗେ ଫେରୁଥିଲେ । ମାତ୍ର ଅଟୋରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା ବେଳେ ତାହା କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଲାଗିଲା ।

ଅଟୋଟି ଖରସ୍ରୋତା ନଦୀ ବ୍ରିଜ ଉପରେ ଯାଉଥିବା ବେଳେ ଅତିଷ୍ଠ ହୋଇ ପଡ଼ିଥିବା ମହିଳାଜଣକ ଅଟୋକୁ ଅଟକାଇଥିଲେ। ଏହାପରେ ସେ ନିଜ ଝିଅକୁ ଧରି ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଏହାଦେଖି ବ୍ୟକ୍ତିଜଣକ ମଧ୍ୟ ତୁରନ୍ତ ତଳକୁ ଡେଇଁଥିଲେ । ଉଭୟ ସ୍ୱାମୀସ୍ତ୍ରୀ ପାଣିରେ ଭାସୁଥିବା ବେଳେ ପିଲାଟିକୁ ଟେକିକି ଧରିଥିଲେ। ସ୍ଥାନୀୟ ଲୋକେ ଏହାଦେଖି ତୁରନ୍ତ ଏକ ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ସମସ୍ତଙ୍କୁ ଆଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ପିଲା ଓ ମା’ର ସ୍ୱାସ୍ଥ୍ୟ ଠିକ୍‌ ଦେଖି ଜଣାଯାଇଛି ।

ଏହାପରେ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ମା’ ଓ ପିଲାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇ ଯାଇଥିବା ଜଣାଯାଇଛି । ରଜତ କୁମାର ପାତ୍ର, ମେଡ଼ିକାଲ ଅଫିସର, ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ରଜତ କୁମାର ପାତ୍ର କହିଛନ୍ତି, ପିଲାଟି ସୁସ୍ଥ ଅଛି। ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ତାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇଛନ୍ତି ।