ବର୍ଷ ବର୍ଷର କ୍ରମାଗତ ଅଭିଯୋଗ ପରେ ବି ଦୂର ହେଲାନି ଜଳ ସଙ୍କଟ

0
36
ବର୍ଷ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୮/୪) : ଆଜି ପିଇବା ପାଣି ସମସ୍ୟାକୁ ନେଇ ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ଅଞ୍ଚଳା ପଞ୍ଚାୟତ ର କୁନ୍ଦ୍ରାଗୁଡ଼ା ଗ୍ରାମବାସୀ ମହିଳା ମାନେ ବ୍ଲକ୍ କାର୍ଯ୍ୟାଳୟକୁ ଆସି ବି.ଡ଼ି.ଓ.ଙ୍କୁ ଭେଟି ନ ପାରି ଅତିରିକ୍ତ ବି.ଡ଼ି.ଓ. ମାଧୁରୀ ଆଚାରୀଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ।

ବର୍ଷ ବର୍ଷର କ୍ରମାଗତ ଅଭିଯୋଗ ପରେ ବି ଦୂର ହେଲାନି ଜଳ ସଙ୍କଟ ଅଭିଯୋଗ । ପ୍ରକାରେ ଗ୍ରାମବାସୀ ଏଥିପୂର୍ବରୁ ଭତ୍ରା ସାହିରେ ଥିବା ପାଣି ସମସ୍ୟାକୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ,ବ୍ଲକ୍ ପ୍ରଶାସନ ତଥା ରାଜନେତାଙ୍କୁ ଗୁହାରୀ କରି ସାରିଥିଲେ ମଧ୍ୟ ପ୍ରଶାସନର ନିଦ୍ରା ଭଙ୍ଗ ହେଉନାହିଁ । ତେଣୁ ବାଧ୍ୟ ହୋଇ ନୂତନ ଭାବେ ଯୋଗଦାନ କରିଥିବା ବି.ଡ଼ି.ଓ. ସନ୍ଧ୍ୟା ସମରଥଙ୍କୁ ଦେଖା କରିବାକୁ ଆସିଥିଲେ । କିନ୍ତୁ,ବି.ଡ଼ି.ଓ. ମହାଶୟା ଅନୁପସ୍ଥିତ ଥିବାରୁ ଏ.ବି.ଡ଼ି.ଓ ମାଧୁରୀ ଆଚାରୀଙ୍କୁ ଦେଖା କରିଛନ୍ତି । ଭତ୍ରା ସାହିରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଏକ ପରିତ୍ୟକ୍ତ କୂଅ କୁ ଛାଡି ଦେଲେ ଏହି ସାହିର ୨୦ ରୁ ୨୫ ପରିବାରକୁ ଜଳ ଯୋଗାଣର କୌଣସି ବ୍ୟବସ୍ଥା ନାହିଁ । ବ୍ଲକ୍ କାର୍ଯ୍ୟାଳୟରୁ ମାତ୍ର ୨ କି.ମି.ଦୂରରେ ଥିବା ୨୬ ନମ୍ବର ଜାତୀୟ ରାଜପଥ କଡର ଏହି ଗ୍ରାମକୁ ଯାଇ ନିରୀକ୍ଷଣ କରିବାକୁ ପ୍ରଶାସନ ପାଖରେ ସମୟ ନାହିଁ ।

ଅଙ୍ଗନବାଡ଼ି ନିକଟସ୍ଥ ନଳକୂଅରୁ ଏଥି ପୂର୍ବରୁ ପାଣି ନେଉଥିଲେ । କିନ୍ତୁ, ଅଙ୍ଗନବାଡ଼ି ପାଚେରୀ ନିର୍ମାଣ ହେବା ପରେ ସେଥିରୁ ମଧ୍ୟ ବଞ୍ଚିତ ହେଉଛନ୍ତି ଉତ୍ରା ସାହି ବାସୀ ।ତେଣୁ ବାଧ୍ୟ ହୋଇ ହରିଜନ ସାହିର ନଳକୂଅକୁ ଯାଇ ଅନେକ ସମୟ ଧରି ଧାଡିରେ ଅପେକ୍ଷା କରି ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି ।ଗୋଟିଏ ମାଠିଆ ପାଣି ଆଣିବା ପାଇଁ ୨ ଘଣ୍ଟା ସମୟ ଲାଗୁଛି ।ଅଭିଯୋଗ କାରୀଙ୍କ ମଧ୍ୟରେ ସମାଜସେବୀ ପତିରାମ ଗୌଡଙ୍କ ସମେତ କମଳା ଭତ୍ରା,ଆସମତି ଭତ୍ରା, ଗୋମତୀ ଭତ୍ରା, ଜେମା ଭତ୍ରା,ପଦ୍ମା ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉ କି ଗତ ବିର୍ବାଚନ ବେଳେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଥିଲେ ମଧ୍ୟ ଏହି ଗ୍ରାମବାସୀ କୌଣସି ସୁଫଳ ପାଇ ପାରିନାହାନ୍ତି ।

ଏ ସମ୍ପର୍କରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କନିଷ୍ଠ ଯନ୍ତ୍ରୀଙ୍କୁ ଉକ୍ତ ଗ୍ରାମ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି, ପ୍ରକୃତ ପରିସ୍ଥିତି ଅନୁଧାନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।