ପୁଣି କଲବଲ କରିବ ତାତି: ହିଟ ଓ୍ବେଭ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

0
28
ପୁଣି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୪/୦୪) : ପୁଣି କଲବଲ କରିବ ତାତି। ରାଜ୍ୟକୁ ପୁଣି ଧିରେ ଧିରେ ଫେରୁଛି ଗରମ। ଆଜିଠାରୁ ୫ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ଓ ଆସନ୍ତାକାଲି ବୌଦ୍ଧ, ଅନଗୁଳ, ନୟାଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ଜଳବାୟୁ ରହିବ। ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା । ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଶନିବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ।

୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି । କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଆଜି ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ହେଉଛି ଚାନ୍ଦବାଲି: ୩୬.୮ °C, ବାଲେଶ୍ୱର: ୩୬ .୪ °C , ଭୁବନେଶ୍ୱର: ୩୬.୨ °C, ଗୋପାଳପୁର : ୩୪ .୬ °C, କେନ୍ଦୁଝର: ୩୪ °C, ପୁରୀ: ୩୩ .୮ °C, ପାରାଦ୍ୱୀପ: ୩୩ .୪ °C , ଝାରସୁଗୁଡା: ୩୩ .୪ °C, ରାଉରକେଲା: ୩୨.୬°C , ସମ୍ବଲପୁର:୩୨ .୪ °C, ହୀରାକୁଦ:୩୨.୨ °C ।