ଆଜିଠୁ ଆଉ ରକ୍ଷା ନାହିଁ : ଦିନ ୧୧ଟା ପରେ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା !

0
17
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୯/୦୪) : ଅସହ୍ୟ ଖରା, ଗରମରେ ସନ୍ତୁଳି ହେଉଛି ଜନଜୀବନ । ରାଜ୍ୟରେ ଆହୁରି ୪ ଦିନ ଏହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ଆଜି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏପ୍ରିଲ ୨୦ ପରଠାରୁ ବର୍ଷା ଏବଂ ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟର କିଛି ଅଞ୍ଚଳରେ ଦୁଇ ରୁ ତିନି ଡିଗ୍ରୀ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଶୁକ୍ରବାର ଓ ଶନିବାର ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହିବ। ଖୋର୍ଦ୍ଧା, କଟକ, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ (ସିଭିଅର ହିଟ୍‌ୱେଭ୍‌) ଏବଂ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ, ଗଜପତି, କନ୍ଧମାଳ, ନୂଆପଡ଼ା, କୋରାପୁଟ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

୨୦ ତାରିଖ ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ନୂଆପଡ଼ା, ଅନୁଗୁଳ, ନୟାଗଡ଼, ମୟୂରଭଞ୍ଜ, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ପାଇଁ ‌ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ୨୦ ତାରିଖ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ୧୯ ଓ ୨୦ ତାରିଖରେ ଦିନ ତାପମାତ୍ରା ଶିଖର ଛୁଇଁବ। କେତେକ ସ୍ଥାନରେ ୪୫ ଡିଗ୍ରି ଡେଇଁପାରେ । ଗ୍ରୀଷ୍ମ ପ୍ରବାହରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୬.୪ ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି । ଏଥିସହ ଶୁକ୍ରବାର ସବୁଠାରୁ ଅଧିକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଉପକୂଳ ଓଡ଼ିଶାରେ ଉଷ୍ମ ଆର୍ଦ୍ର ପାଣିପାଗ ସ୍ଥିତି ଲାଗିରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ । ବାୟୁମଣ୍ଡଳର ମଧ୍ୟ ଉପରି ଭାଗରେ ଗୋଟିଏ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ । ୪୦ରୁ ୫୦ କିମି ବେଗରେ ପବନ ବହିବ । ଫଳରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

Leave a Reply