ମାଁ ଚରଦେଇ ଦେବୀଙ୍କ ନବରାତ୍ର ପୂଜା ଆରମ୍ଭ

1
295

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୭/୧୦) : ବିନିକା ବ୍ଲକ ଚରଦା ଶୈବପୀଠରେ ଆଶ୍ୱିନ ମାସର ଶୁକ୍ଳ ପକ୍ଷ ପ୍ରତିପଦ ତିଥୀ ଠାରୁ ଶକ୍ତିଦେବୀ ମାଁ ଚରଦେଇ ଦେବୀଙ୍କ ନବରାତ୍ର ପୂଜା ଆରମ୍ଭ ହୋଇ ଯାଇଛି ।

ଏହି ସମାରୋହରେ ମାଁ ଚରଦେଇ ଦେବୀଙ୍କ ପୀଠରେ ବିଧିବିଧାନ ଅନୁସାରେ କଳସ ସ୍ଥାପନ ସହ ପୀଠପୂଜା ସମାପନ ହୋଇଛି । ତେବେ ଚରଦା ଶ୍ରୀ କପିଳେଶ୍ୱର ମନ୍ଦିର ଟ୍ରଷ୍ଟ କମିଟି ସଭାପତି ଅଶୋକ ପୃଷ୍ଟିଙ୍କ ଠାରୁ ହସ୍ତଗତ ରିପୋର୍ଟ ଅନୁସାରେ ନବରାତ୍ର ପୂଜା ଅବସରରେ ଆଜି ରାତ୍ରିରେ ମାଁ ଚରଦେଇ ଲକ୍ଷ୍ମୀ ଅବତାର ବେଶରେ ପୂଜା ପାଇବା ସହ ସାମାଜିକ ଦୂରତା କ୍ରମରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ସୂଚନା ଦେଇଥିବା ବେଳେ ପରବର୍ତ୍ତୀ ଶୁକ୍ରବାର ରାତ୍ରିରେ ମାଁ ଚରଦେଇ ମହା ସରସ୍ଵତୀ ବେଶରେ ପୂଜା ପାଇବା ସହ ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଶନିବାର ରାତ୍ରିରେ ଭୈରବୀ, ରବିବାର ରାତ୍ରିରେ ଭୁବନେଶ୍ୱରୀ, ସୋମବାର ରାତ୍ରିରେ ପାର୍ବତୀ ବେଶରେ ପୂଜା ପାଇବାର କାର୍ଯ୍ୟକ୍ରମ ରହିଥିବା ବେଳେ ମଙ୍ଗଳବାର ଓ ବୁଧବାର ରାତ୍ରିରେ ମାଁ ଚରଦେଇ ଦୁର୍ଗା ଓ ଗୁରୁବାର ନବରାତ୍ର ପୂଜା ଅବସରରେ ବିଶ୍ରାମ ଓ ପୂଜା ପାଳନ ପାଇଁ ପଣ୍ଡିତ ମଣ୍ଡଳୀ ସ୍ଥିରୀକୃତ କରିଥିବା ବେଳେ ଶୁକ୍ରବାର ରାତ୍ରିର ଦଶହରା ନୀତି ସହ ଅପରାଜିତା କୁମାରୀ ପୂଜା ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଚଳିତ ଆଶ୍ୱିନ ମାସର ନବରାତ୍ର ପୂଜାନିତି ପାଳନ ଅବସରରେ ସୀମିତ ଭକ୍ତଙ୍କ ଦର୍ଶନ ବେଳେ ମଧ୍ୟ ବିଶେଷକରି ସାମାଜିକ ଦୂରତା ବଜାୟ ରଖିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

1 COMMENT

Comments are closed.