କଟକରେ କମିଶନରେଟ ପୋଲିସ୍‌ର ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କଲା ପୋଲିସ୍‌

0
168

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ,(୧୬/୧୦) : କଟକରେ କମିଶନରେଟ ପୋଲିସ୍‌ର ଏନ୍‌କାଉଣ୍ଟର । ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ପୋଲିସ୍‌ କାବୁ କରିଛି । ପୋଲିସ ଏନ୍‌କାଉଣ୍ଟରରେ ରାକା ଆହତ ହୋଇଛି । ତା’ର ଗୋଡ଼ରେ ଗୁଳି ବାଜିଛି ।

କଟକରେ କମିଶନରେଟ ପୋଲିସ୍‌ର ଏନ୍‌କାଉଣ୍ଟର ରେ ରାକା ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ ହୋଇଛି । ଦୁର୍ଦ୍ଦାନ୍ତ ଅପରାଧୀ ରାକା କନ୍ଦରପୁର ଅଞ୍ଚଳରେ ଥିବା ନେଇ ପୋଲିସ୍‌କୁ ସୂଚନା ମିଳିଥିଲା । ଖବରପାଇ ପୋଲିସ୍‌ ଆଜି ଉକ୍ତ ଅଞ୍ଚଳରେ ଚଢ଼ଉ କରିଥିଲା । ଏହି ସମୟରେ ରାକାକୁ ଧରିବାକୁ ପୋଲିସ୍‌ ଉଦ୍ୟମ କରୁ ଥିବାବେଳେ ପୋଲିସ ଉପରକୁ ସେ ପ୍ରଥମେ ଗୁଳିମାଡ଼ କରିଥିଲା । ଯାହାର ପାଲଟା ଜବାବରେ ପୋଲିସ୍‌ ରାକା ଉପରକୁ ଫାୟାରିଂ କରିଥିଲା । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲା ଓ ଗୁରୁତର ଅବସ୍ଥାରେ ତାକୁ କଟକ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଏନେଇ ପୋଲିସ୍‌ ଛାନ୍‌ଭିନ୍‌ ଜାରି ରଖିଛି । ସୂଚନାଥାଉ କି, କିଛିଦିନ ପୂର୍ବେ କନ୍ଦରପୁର ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଘଟଣାରେ ରାକା ସାମିଲ ଥିଲା । ହେଲେ ଏଥିରେ ସମ୍ପୃକ୍ତ ରାକାର ଆଉ ୨ ଜଣ ସହଯୋଗୀ ଫେରାର ଅଛନ୍ତି ।

ପାର୍ବଣ ସମୟରେ ଅପରାଧିମାନେ ବିଭିନ୍ନ ପ୍ରକାରର ଅପରାଧ ଘଟାଇ ପାଇଁ ଯୋଜନା କରିଥାନ୍ତି । ହେଲେ ସେମାନଙ୍କର ଏହି କାର୍ଯ୍ୟକଳାପ ଉପରେ ପୋଲିସ୍‌ ନଜର ରଖିଥାଏ ।